
ବଲାଙ୍ଗୀର, ବଲାଙ୍ଗିର ସଦରଥାନା ଅନ୍ତର୍ଗତ ଚୁଡାପାଲି ଗ୍ରାମର କାଲୁ ଉରଫ୍ ବିରେନ ଦିପ ଓ ଢୁଲୁସର ଗ୍ରାମର ଉମେଶଙ୍କୁ ବଲାଙ୍ଗିର ସହକାରୀ ସେସନ ଜଜ ଓ ବରିଷ୍ଠ ସିଭିଲ ଜଜ୍ (ଏଲ୍ଆର ଏଣ୍ଡ ଏଲ୍.ଟି.ଭି) ଜନ୍ମଜୟ ପଲେଇ ଏକ ଡକାୟତି ମାମଲା ସେସନ କେସ ନଂ. ୩୮/୨୦୨୩ ରେ ଗତକାଲି ଦୋଷୀ ସାବ୍ୟସ୍ତ କରିଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ନିର୍ଦ୍ଦେଶ କରିଛନ୍ତି । ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଲେଖାଏଁ ଆହୁରି କାରାଦଣ୍ଡ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୨୦୨୩ ଜାନୁୟାରୀ ୨୦୧୪ ଅଭିଯୋଗକାରୀ / ପିଡିତ ହେମସାଗର ପଟେଲ ଓ ତାଙ୍କ ପରିବାର ତଥା ଭାଇ ଓ ବୋହୁ ଏକ କାର ଯୋଗେ ତାଙ୍କ ନିଜ ଗ୍ରାମ ସାନତେଲେନପାଲିରୁ ଚୁଡାପାଲିକୁ ଆସୁଥିବା ବେଳେ ଉଭୟ ଅଭିଯୁକ୍ତ ବିରେନ ଦିପ ଓ ଉମେଶ ରାୟ ଠେଙ୍ଗା ଆଦି ମାରଣାସ୍ତ୍ର ଧରି ଗାଡିକୁ ଚୁଡାପାଲି ନିକଟସ୍ଥ ରାଜରାସ୍ତାରେ ଅଟକାଇ ଗାଡିର କାଚ ଭାଙ୍ଗି ମରଣାନ୍ତକ ମାଡ ମାରିବା ସହ ଭୟଭିତ କରି ଟଙ୍କା ପଇସା ଲୁଟପାଟ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକ ରୁଣ୍ଡ ହେବାରୁ ଅଭିଯୁକ୍ତମାନେ ପଲାଇ ଯାଇଥିଲେ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ହେମସାଗର ପଟେଲ ଓ ତାଙ୍କ ପରିବାର ଜିବନ ରକ୍ଷା କରି ବାଙ୍ଗିର ସଦର ଥାନା ରେ ଅଭିଯୋଗ କରିଥିଲେ । ସଦର ପୋଲିସ କେସ ନଂ.୨୪/୨୦୨୩ ରୁଜୁ କରି ଦଫା ୩୯୭, ୩୪ ଆଇପିସିରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ । ସରକାରଙ୍କ ପକ୍ଷରୁ ଏସୋସିଏଟ ପିପି ବୈଷ୍ଣବ ସାହୁ ମୋକଦ୍ଦମା ପରିଚାଳନା କରିଥିଲେ ।