
ଜୟପୁର, ଏମ୍ ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଆଦିବାସୀଙ୍କ ସ୍ଵାସ୍ଥ୍ୟ ସ୍ଥିରତା ପାଇଁ ଗୋଷ୍ଠୀ ନେତୃତ୍ଵ ପ୍ରକଳ୍ପ ତରଫରୁ ଦଶମନ୍ତପୁର ବ୍ଲକ ଅଧୀନରେ ଥିବା ବରଗଛ ଉପକେନ୍ଦ୍ର ଠାରେ ଏକ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଦଶମନ୍ତପୁର ବ୍ଲକର ବରଗଛ ଉପକେନ୍ଦ୍ର ଅଧୀନରେ ଥିବା ୧୩ଟି ଗ୍ରାମରୁ ସମୁଦାୟ ୩୨ ଜଣ ଗୋଷ୍ଠୀ ଚାମ୍ପିୟନ – ଗାଗଡ଼ ସାଥି, ଆଶା ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ।
ଆଦିବାସୀ ବହୁଳ ଅଞ୍ଚଳରେ ସ୍ଵାସ୍ଥ୍ୟ ସମସ୍ୟାକୁ ଦୂରୀକରଣ କରିବା ପାଇଁ ଏମ୍ ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ସହଯୋଗରେ ଏହି ପ୍ରକଳ୍ପଟି ସ୍ଥାନୀୟ ଆଦିବାସୀଙ୍କ ମଧ୍ୟରେ ମାତୃ , ନବଜାତ ଶିଶୁ ,ପୋଷଣ ଏବଂ ଜଳ ପରିମଳ ଓ ସ୍ଵାସ୍ଥ୍ୟ ସେବାକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛି। ଜନ ସଚେତନତା ସୃଷ୍ଟି କରିବା ଦିଗରେ ଗୋଷ୍ଠୀ ଚାମ୍ପିୟନ – ଗାଗଡ଼ ସାଥି ମାନଙ୍କ ଭୂମିକା ସେମାନଙ୍କ ଗ୍ରାମରେ ଗୁରୁତ୍ଵ ବହନ କରିଥାଏ। ସେ ଦିଗରେ ଏମ୍ ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ମୁଖ୍ୟ ପ୍ରକଳ୍ପ ପରିଚାଳକ ଡ଼ଃ. ଅସିତ ମାନସିଂହ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଯସ୍ମିନ୍ ମହାନ୍ତି, ଡ଼ଃ ଗୋପୀ ଗୀର୍ଜନଙ୍କ ନେତୃତ୍ଵରେ ଏହି କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ଗାଗଡ଼ ସାଥି, ଆଶା ଏବଂ ଅଙ୍ଗନୱାଡି କର୍ମୀ ମାନଙ୍କୁ ଗର୍ଭବତୀ ମା’ ଓ ଶିଶୁର ଯତ୍ନ ଉପରେ ସଚେତନତା କରାଇବା, ପୌଷ୍ଟିକ ଖାଦ୍ୟ, ନିରାପଦ ଜଳ ଏବଂ ପରିମଳ ପରି ଗୁରୁତ୍ଵପୂର୍ଣ କ୍ଷେତ୍ର ଉପରେ ବୈଷୟିକ ବିଶେଷଜ୍ଞ ଡ଼ଃ. ମାୟା ମାକାରାନ୍ସ ପ୍ରାଞ୍ଜଳ ଭାବରେ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ପରେ ସ୍ଵାସ୍ଥ୍ୟ କର୍ମୀ ମାନଙ୍କର ବାର୍ତ୍ତା ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମା ଏବଂ ଶିଶୁ ମାନଙ୍କ ସ୍ଵାସ୍ଥ୍ୟର ଯତ୍ନ ନେବା କ୍ଷେତ୍ରରେ ନିଶ୍ଚିତ ଭାବରେ ସକାରାତ୍ମକ ଏବଂ ସ୍ଥାୟୀ ପରିବର୍ତନ ଆଣିବାରେ ସହଯୋଗ ହେଇପାରିବ ବୋଲି ଏମ୍ ଏସ୍ ସ୍ଵାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ତରଫରୁ ଭାରପ୍ରାପ୍ତ ନିର୍ଦେଶକ ପ୍ରଶାନ୍ତ କୁମାର ପରିଡା ଆଶା ପ୍ରକଟ କରିଛନ୍ତି |
ଏହି କାର୍ଯ୍ୟକ୍ରମକୁ ଦଶମନ୍ତପୁର ବ୍ଲକ ସଂଯୋଜକ କୃତିବାସ ରାଉତ ପରିଚାଳନା କରିଥିଲେ ଏବଂ ପ୍ରକଳ୍ପ ସହାୟକ ନିରଜ ବେନିଆ ଏବଂ ଅନ୍ୟ କର୍ମକର୍ତା ସହଯୋଗ କରିଥିଲେ।