ନୂଆଦିଲ୍ଲୀ– ନୀତୀନ ଗଡକାରୀ ବୁଧବାର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସହିତ ରାଷ୍ଟ୍ରମନ୍ତ୍ରୀ ଅଜୟ ଟମ୍ଟା ଓ ହର୍ଷ ମଲହୋତ୍ରା ବି ଉପସ୍ଥିତ ଥିଲେ । ଲଗାତର ତୃତୀୟ ଥର ନୀତୀନ ଗଡକାରୀଙ୍କୁ ସଡକ ପରିବହନ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ବର୍ଷ 2014 ଓ 2019ରେ ବି ଏହି ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ ।
ଗଡକାରୀ ମନ୍ତ୍ରାଳୟର କାର୍ଯ୍ୟଭାର ସମ୍ଭାଳିବା ପରେ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ ପୋଷ୍ଟରେ ମୋଦି 3.0 କ୍ୟାବିନେଟରେ ପୁଣି ଥରେ ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରାଳୟର କାର୍ଯ୍ୟଭାର ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି । ନୀତୀନ ଗଡକାରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଅଧୀନରେ ଭାରତ ଦ୍ରୁତଗତିରେ ବିଶ୍ୱସ୍ତରୀୟ ଆଧୁନିକ ମୂଳଦୁଆ ଢାଂଚାରେ ସୁସଜ୍ଜିତ ହେବ ।