ଧର୍ମଶାଳା, ଯାଜପୁର ଜିଲା ରସୁଲପୁର ବ୍ଲକ ଖଣ୍ଡିତର କବାଡି ପ୍ରତିଯୋଗିତା ନିମନ୍ତେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ । ଯାଜପୁର କବାଡି ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ୧୩ ତାରିଖରୁ ଖଣ୍ଡିତର ଷ୍ଟଡିୟମ୍ଠାରେ ସର୍ବଭାରତୀୟ ଦିବାରାତ୍ର କବାଡି ପ୍ରତିଯୋଗିତା ଆରମ୍ଭ ହୋଇ ୧୬ ତାରିଖରେ ଉଦଯାପିତ ହେବ । ଏହି ପ୍ରତିଯୋଗିତାରେ ୩୨ ଗୋଟି ପୁରୁଷ ଓ ମହିଳା ଟିମ୍ ସାମିଲ ହେବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆସୋସିଏସନର ସଭାପତି ପ୍ରଦୀପ କୁମାର ସେଠୀଙ୍କ ସଭାପତିତ୍ଵରେ ଏକ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି କବାଡି ପ୍ରତିଯୋଗିତାରେ ପୁରୁଷ ବିଭାଗର ରାଜ୍ୟ ବାହାରୁ ଏସ.ଇ. ରେଲୱେ, ଇଷ୍ଟର୍ଣ୍ଣ ରେଲୱେ, କୋଲକାତା ପୋଲିସ,ଗୁଜୁରାଟର ଇନକମ୍ ଟ୍ୟାକ୍ସ, ହରିୟାଣା, ୟୁପି ବୁଲନ୍ଦେଶ୍ଵର, ୟୁପି ଗାଜିଆବାଦ, ମହାରାଷ୍ଟ୍ର ଅଡିନାନ୍ସ, ମହାରାଷ୍ଟ ନାଗପୁର, ଆରସିସି ଭୋପାଳ, ଷ୍ଟାର ଏକାଡେମୀ ଜବଲପୁର(ଏମପି), ବୀର ଶିବାଜୀ ବିଳାସପୁର ଓ ଛତିଶଗଡି କବାଡି ଟିମ୍ ଅଂଶଗ୍ରହଣ କରିବେ ।
ସେହିପରି ମହିଳା ବିଭାଗରେ ଏସ.ଇ. ରେଲୱେ, ଚନ୍ଦନନଗର(ୱେଷ୍ଟବେଙ୍ଗଲ), ସାଇ ରାଜନନ୍ଦ ଗାଁଓ ଛତିଶଗଡ ଟିମ୍ ଭାଗ ନେବେ । ରାଜ୍ୟ ମଧ୍ୟରୁ ପୁରୁଷ ବିଭାଗରେ ଶ୍ରୀ ଜଗନ୍ନାଥ ୟୁନିଭରସିଟି ପୁରୀ, ଓଡିଶା ପୋଲିସ, ନୂଆପଡା, କଟକ, କିଶୋର କ୍ଲବ, ମହାବୀର ଭୁବନେଶ୍ଵର, ନେତଜୀ ପୁରୀ ଓ ଯାଜପୁର ଟିମ୍ ଭାଗ ନେଉଥିବା ବେଳେ ମହିଳା ବିଭାଗରେ କିଟ୍, କଟକ, କିଶୋର କ୍ଲବ, କଳିଙ୍ଗ ଏକାଡେମୀ, ଆସ୍କା ଓ ଯାଜପୁର ଟିମ୍ ଭାଗ ନେବେ ବୋଲି ସ୍ଵୀକୃତି ପ୍ରଦାନ କରିଛନ୍ତି । ୪ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ପ୍ରତିଯୋଗିତାରେ ୩୮୪ ଜଣ ଖେଳାଳୀଙ୍କ ସମେତ ୫୦ ଜଣ ଅଫିସିଆଲ ଉପସ୍ଥିତ ରହି ଖେଳକୁ ପରିଚାଳନା କରିବେ । ପୁରୁଷ ବିଭାଗରେ ଚାମ୍ପିଅନ ଦଳକୁ ୧ ଲକ୍ଷ ଟଙ୍କା ଓ ରନର୍ସ ଅପ ଦଳକୁ ୬୦ ହଜାର ଟଙ୍କା ଓ ୩ୟ ଦଳକୁ ୩୦ ହଜାର ଟଙ୍କା ଓ ମହିଳା ବିଭାଗରେ ଚାମ୍ପିଅନ ଦଳକୁ ୨୫ ହଜାର ଓ ରନର୍ସ ଅପ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।