
ଧର୍ମଶାଳା, ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ ଜୁନ୍ ମାସରେ ଅସହ୍ୟ ଗୁଳଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଜୁନ୍ ମାସର ଦ୍ଵିତୀୟ ସପ୍ତାହ ଚାଳିଥିବା ବେଳେ ଆକାଶରୁ ବର୍ଷା ଯେପରି ଉଭାନ ହୋଇଯାଇଛି । ଜୁନ ୧୦ ସୁଦ୍ଧା ମୌସୁମୀ ଓଡିଶା ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରାକ୍ ଆକଳନ କରିଥିଲେ । ୧୦ ପରେ ବି ମୌସୁମୀର ଦର୍ଶନ ମିଳିନାହିଁ । ମେ ମାସ ଗରମ ଜୁନ୍ ମାସରେ ଅନୁୁଭୂତ ହୋଉଛି । ଦିନରେ ପ୍ରବଳ ଖରା ସହ ପ୍ରବଳ ଉତାପ ସାଂଗକୁ ଗୁଳୁଗୁଳି ସାଧାରଣ ଜୀବନ ଉପରେ ପ୍ରଭାବ ପକାଇଛି । ସକାଳ ୮ଟାରୁ ଘରୁ ପଦାକୁ ବାହାରିବା ସମ୍ଭବ ହେଉନାହିଁ । ଦିନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି । ଫଳରେ ପଙ୍ଖା ପବନରେ ମଧ୍ୟ ଘର ଭିତରରେ ରହି ହେଉନାହିଁ । ଏହି ସମୟରେ ଉପଭୋକ୍ତାମାନେ ବିଦ୍ୟୁତ୍ ବ୍ୟବହାର ୨ ଗୁଣ ବଢି ଯାଇଥିବା ବେଳେ ଏବେ ଲୋଭୋଲଟେଜ୍ ସମସ୍ୟା ଦେଖା ଦେଇଛି । ଅନେକ ସମୟରେ ଶୀତତାପ ନିୟନ୍ତ୍ରଣ ନ ଚାଲିବାରୁ ବୃଦ୍ଧବୃଦ୍ଧା ଓ ଶିଶୁମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପଟେ ବର୍ଷା ବିଳମ୍ବ ହେବାରୁ ଧର୍ମଶାଳା ଅଂଚଳରେ ଧାନ ଚାଷ ଉପରେ ଏହାର ପ୍ରଭାବ ପଡିବା ନେଇ ଆଶଙ୍କା ରହିଛି ।