ସମ୍ବଲପୁର, ଶୀତଳ ଷଷ୍ଠୀ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର । ଆଜି ଶିବ ବିବାହ ଉତ୍ସବ । ବର ବେଶରେ ସଜ୍ଜିତ ହୋଇ ଆଜି ବିବାହ ନିମନ୍ତେ ଶୋଭାଯାତ୍ରାରେ ବାହାରିବେ ଦେବ ଦେବ ମହାଦେବ । ଗତକାଲି ବିଭିନ୍ନ ପଡାରେ ଶେଷ ହୋଇଛି ଦେବ ନିମନ୍ତ୍ରଣ ।
ଦେବ ଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପତରପେଣ୍ଡି ବା ନିର୍ବନ୍ଧ ଏବଂ ଗୁଆଗୁଣ୍ଡା ବା ନିୟୁତା ବିଧି ଗତକାଲି ସମ୍ପନ୍ନ ହୋଇଥିଲା । ଆଜି ସୋମବାର ଜ୍ୟେଷ୍ଠ ଶୁକ୍ଲ ପକ୍ଷ ପଂଚମୀ ତିଥିରେ ମହାଦେବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ଏଥିପାଇଁ ଶିବାଳୟମାନଙ୍କରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ପାର୍ବତୀଙ୍କ କନ୍ୟାପକ୍ଷ ଭୂମିକାରେ ଥିବା ଦମ୍ପତିମାନେ ବରବେଶରେ ମହାଦେବଙ୍କୁ ସ୍ଵାଗତ କରିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସମ୍ପୂର୍ଣ୍ଣ ଭାବରେ ଲୋକାଚାର ଓ ବୈଦିକ ରୀତିନୀତିରେ ହେବାକୁ ଥିବା ଦେବ ବିବାହ ପାଇଁ କନ୍ୟାପକ୍ଷ ନିଜର ଜ୍ଞାତି ପରିଜନଙ୍କୁ ନିମନ୍ତ୍ରଣ କରିଥିବା ବେଳେ ବିବାହ ପରେ ପ୍ରଦାନ କରିବା ପାଇଁ ଯାହା କିଛି ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରିସାରିଛନ୍ତି । ଶିବାଳୟରେ ଭୋଳାନାଥ ବରବେଶରେ ବାହାରିବା ପୂର୍ବରୁ ଅଭିଷେକ ହେବେ । ସେହିଭଳି ସୋମବାର ମଧ୍ୟାହ୍ନରେ ଗଇଁଣ୍ଠାଳ ଫିଟା ନୀତି ଉତାରୁ ଏ ବର୍ଷର କନ୍ୟା ପିତାମାତା ପରିବାର ପାର୍ବତୀଙ୍କୁ ନିଜ ନିଜ ବାସଭବନକୁ ନେଇଛନ୍ତି । ସେଠାରେ ଦେବୀ ପାର୍ବତୀଙ୍କ ସ୍ଵତନ୍ତ୍ର ବେଶ କରାଯିବ । ଦେବ ବିବାହ ଓ ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ଓ ବିଧିବିଧାନ ନିର୍ବାହ କରାଯିବ । ଶିବ-ପାର୍ବତୀଙ୍କ ବିବାହ ଆୟୋଜନ ପାଇଁ କନ୍ୟା ପକ୍ଷ ଭୂମିକାରେ ଥିବା ପରିବାରମାନଙ୍କ ପକ୍ଷରୁ ସ୍ଵତନ୍ତ୍ର ମଣ୍ଡପ ତିଆର କରାଯାଇଛି । ବିବାହ ପରେ ନବ ପରିଣିତ ଦେବଦମ୍ପତି ଷଷ୍ଠୀ ତିଥିରେ ମନ୍ଦିର ବେଢ଼ାରେ ପାଲିଙ୍କିରେ ପହଂଚି ସେଠାରୁ ରାତି ସମୟରେ ସୁସଜ୍ଜିତ ରଥମାଙ୍କରେ ପାଶ୍ୱର୍ ଦେବା ଦେବଙ୍କ ସହ ଶୀତଳଷଷ୍ଠୀ ଯାତ୍ରାରେ ନଗର ପରିକ୍ରମା କରିବେ । ରଥ ଉପରେ ଭକ୍ତମାନଙ୍କୁ ଦର୍ଶନ ଦେବା ଉତାରୁ ସପ୍ତମୀ ତିଥିର ସନ୍ଧ୍ୟା ସୁଦ୍ଧା ଦେବ ଦମ୍ପତି ମନ୍ଦିର ଗମ୍ଭୀରା ବିଜେ କରିବେ । ବୁଧବାର ସନ୍ଧ୍ୟା ସୁଦ୍ଧା ଦେବ ଦମ୍ପତି ପାର୍ଶ୍ବ ଦେବାଦେବୀଙ୍କ ସହିତ ମନ୍ଦିର ପ୍ରବେଶ କରିବା କାର୍ଯ୍ୟକ୍ରମ ରହିଛି । ଦେବଦମ୍ପତିଙ୍କ ଯୁଗଳ ବିଗ୍ରହ ଦର୍ଶନ ପାଇଁ ମଣ୍ଡପ ସାଜ୍ଜସଜ୍ଜା ସମ୍ପୂର୍ଣ୍ଣ ହୋଇଛି । ନିୟମ ଅନୁଯାୟୀ ଭକ୍ତମାନେ ଯେପରି ଶିବ-ପାର୍ବତୀଙ୍କ ଦର୍ଶନ କରିବେ, ସେଥିପାଇଁ ଯାତ୍ରା କମିଟୀମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।
ସେହିପରି ନନ୍ଦପଡ଼ାର ବମ ବରାଡ଼ ବାଲୁଙ୍କେଶ୍ଵର, ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ପୀଠ, ମୁଦିପଡ଼ା ଜାଗେଶ୍ଵର ମହାଦେବ, ବାଲିବନ୍ଧାର ସୋମନାଥ ବାବା ଏବଂ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଅନୁରୂପ ଭାବେ ବଡ଼ବଜାରର ଶୀତଳେଶ୍ଵର, ଦୁର୍ଗାପାଲିର ଗୁଡ଼େଶ୍ଵର, ମାନେଶ୍ୱରର ମାନ୍ଧାତା, ରାନୀବନ୍ଧର ରାମେଶ୍ଵର, ସିନ୍ଦୁରପଙ୍କର ଚନ୍ଦ୍ରଶେଖର, ଠାକୁରପଡ଼ା ଓ ମ୍ୟୁନିସିପାଲଟି ଛକର ଗୁପ୍ତେଶ୍ଵର ପ୍ରଭୃତି ଶିବାଳୟ ମାନଙ୍କରେ ମଧ୍ୟ ଦେବବିବାହ ଅନୁଷ୍ଠିତ ହେବ । ଆଇନ ଶୃଙ୍ଖଳା ସ୍ଥିତି ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।