
ଜୟପୁର, ରାଜା ବିକ୍ରମଦେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତି କୋରାପୁଟ ଜିଲ୍ଲାର ଜୟପୁର ଠାରେ ସ୍ଥାପନ କରାଯିବା ନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ବିଭାଗର ଯୁଗ୍ମ ଶାସନ ସଚୀବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ କୋରାପୁଟ ଜିଲ୍ଲାପାଳଙ୍କୁ ବିଭାଗ ଚିଠି ସଂଖ୍ୟା ୬୨୭୨ରେ ଜଣାଇଛନ୍ତି ଯେ, ରାଜା ବିକ୍ରମ ଦେବଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଜୟପୁରସ୍ଥ ବିକ୍ରମଦେବ ବିଶ୍ଵବିଦ୍ୟାଳୟ ପ୍ରବେଶ ଦ୍ଵାର ଠାରେ ସ୍ଥାପନ କରାଯିବା ପାଇଁ ବିଭାଗୀୟ ପ୍ରତିମୂର୍ତ୍ତି ଚୟନ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲୁ ରହିଅଛି । ଏହାର ସ୍ଥାପନା ନିମନ୍ତେ ତୁରନ୍ତ ବିଶ୍ଵବିଦ୍ୟାଳୟ ପ୍ରବେଶ ଦ୍ଵାରରେ ଏକ ପ୍ରମୁଖ ସ୍ଥାନ ନିରୂପଣ କରି ଯଥାଶୀଘ୍ର ବିଭାଗକୁ ଜଣାଇଲେ ବିଭାଗ ପକ୍ଷରୁ ପିଣ୍ଡି ନିର୍ମାଣ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଏହି ଚିଠିର ଏକକିତା ନକଲ ବିଭାଗର କମିଶନର, କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ, ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ଵ ସଂସ୍ଥାର ସହାୟକ ଯନ୍ତ୍ରୀ, ଭୁବନେଶ୍ଵର ଏସ୍ବି କ୍ରିଏସନ୍ସ୍ର ସରୋଜ କୁମାର ଭଞ୍ଜଙ୍କ ସହ ଜୟପୁରର ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ନିକଟକୁ ଅବଗତି ନିମନ୍ତେ ପ୍ରେରଣ କରାଯାଇଥିବା ଜଣାଯାଇଛି । ଅପରପକ୍ଷେ କିଛି ମାସ ପୂର୍ବରୁ ଉକ୍ତ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ରାଜଶ୍ରୀ ବିକ୍ରମଦେବ ବର୍ମାଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଏହାକୁ ଉଠାଯାଇ ତାହା ସ୍ଥାନରେ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ ହେବ ନା ପ୍ରଶାସନ ଅନ୍ୟ କୌଣସି ନିଷ୍ପତି ନେବ ତାହାକୁ ନେଇ ଅପେକ୍ଷା ରହିଛି।