– ଓଡିଶାରେ ୪ କୋଟି ଟଙ୍କା ବ୍ୟୟରେ ୧୮୪ଟି ଶ୍ରେଣୀଗୃହ
-ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ କରି ମୋଦିଙ୍କୁ ଜନ୍ମଦିନର ଭେଟି ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର -ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ କେନ୍ଦ୍ରୀୟ ବିଦ୍ୟାଳୟ ସମୂହର ଇ-କ୍ଲାସରୁମ୍ ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଭେଟି ପାଇଁ ପ୍ଲାଷ୍ଟିକ୍ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରି କହିଛନ୍ତି ଶ୍ରୀ ପ୍ରଧାନ ।
୪ କୋଟି ଟଙ୍କା ବ୍ୟୟରେ କଟକ, ଭୁବନେଶ୍ୱର ୮ଟି କେଭିର ୧୮୪ଟି ଶ୍ରେଣୀଗୃହ ଓ ସାରା ଦେଶରେ ମୋଟ ୮ କୋଟି ଟଙ୍କା ବ୍ୟୟରେ ପ୍ରାୟ ୪୦୦ଟି ଶ୍ରେଣୀଗୃହ ଓଏନଜିସି ସହାୟତାରେ ଇ-କ୍ଲାସରୁମ ଭାବରେ ଲୋକାର୍ପଣ ହୋଇପାରିଛି । ପ୍ରଧାନମନ୍ତ୍ରୀଙ୍କ ଜନ୍ମ ସପ୍ତାହରେ ଏହାକୁ ଲୋକାର୍ପଣ କରାଯାଇଥିବାରୁ କେନ୍ଦ୍ର ବିଦ୍ୟାଳୟ ସଂଗଠନ ଏବଂ ଓଏନଜିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।
ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରୋର ନିର୍ଦ୍ଦେଶକ କେ.ଶିବନ୍ ବିଶ୍ୱରେ ନିଜକୁ ପ୍ରତିଷ୍ଠିତ କରିଥିବା ବେଳେ ସେମାନେ ସମସ୍ତଙ୍କ ପାଖରେ ଦାରିଦ୍ର୍ୟ ଓ ଅଭାବ, ଅନାଟନ ଭିତରେ ଜୀବନ ସଂଘର୍ଷ କରି ନିଜର ଶ୍ରେଷ୍ଠତ୍ୱକୁ ପ୍ରତିପାଦିତ କରିଥିଲେ ବୋଲି କହିଥିଲେ । କଟକ, ଭୁବନେଶ୍ୱର ଓ ଜଟଣୀର କେଭିର ଛାତ୍ରଛାତ୍ରୀମାନେ ସ୍ମାର୍ଟ କ୍ଲାସ ରୁମ ଓ ଅନ୍ୟାନ୍ୟ ସୁବିଧା ଆଧାରରେ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାରେ ସଫଳ ହେବେ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ,ଚା’ ବିକାଳିର ପୁଅ ସାଧାରଣ ସ୍କୁଲରେ ଗୁଜୁରାଟି ଭାଷାରେ ପାଠ ପଢି କେବଳ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ବିଶ୍ୱର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପ୍ରତିଷ୍ଠିତ ହୋଇପାରିଛନ୍ତି । ସେହିପରି ଜଣେ ମାଛ ବିକାଳୀର ପୁଅ ସ୍ୱର୍ଗତ ଏପିଜେ ଅବଦୁଲ କଲାମ ସାଧାରଣ ସ୍କୁଲକୁ ପଢି ଦେଶର ବଡ ବୈଜ୍ଞାନିକ ହୋଇପାରିଥିଲେ । ଅନୁରୂପ ଭାବେ ଦେଶର ଏବେ ଚର୍ଚ୍ଚିତ ଚେହେରା ଚାଷୀର ପୁଅ ଇସ୍ରୋର ଅଧ୍ୟକ୍ଷ କେ .ଶିଭନଙ୍କୁ ବିଶ୍ୱ ସ୍ୱୀକୃତି ଦେଉଛି ବୋଲି ସେ କହିଛନ୍ତି ।
ବିଦ୍ୟା ଦାନ ଠାରୁ ପୁଣ୍ୟ କାମ ନାହିଁ । ବିଦ୍ୟା ଏକ ତତ୍ୱ, ବିଜ୍ଞାନ ଓ ସଂସ୍କାର ମଧ୍ୟ । ବିଦ୍ୟାକୁ ଯେ ଅଧ୍ୟୟନ କରି ନୂଆପିଢୀକୁ ପହଁଚାଏ ତାଠୁ ବଳି ପୁଣ୍ୟ କାମ କିଛି ନାହିଁ । ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ଲାଷ୍ଟିକ୍ ବର୍ଜନ ଓ ଜଳ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି । ଏହିଭଳି ନୂଆ ନୂଆ ଦିଗରେ ଦେଶକୁ ଏକାଠୀ କରିବା ପାଇଁ ପଡିବ ।
ଉଲ୍ଲେଖନୀୟ ଯେ, ଏହି ଅବସରରେ ଜାଲିବାନାବାଗ୍ ହତ୍ୟାକାଣ୍ଡରେ ୧୨ ବର୍ଷର ପିଲା ଉଦ୍ଧାମ ସିଂହଙ୍କ କଥା ବର୍ଣ୍ଣନା କରିଥିଲେ ଶ୍ରୀ ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାଲ୍ୟ ଜୀବନୀକୁ ନେଇ ଆଧାରିତ ‘ଚଲୋ ଜିତେ ହୈଁ’ ଚଳଚ୍ଚିତ୍ର ଦେଖିବାକୁ ପରାମର୍ଶ ଦେଇଥିଲେ ।