ଖୋର୍ଦ୍ଧା, ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଆଶ୍ଵସ୍ତି । ତାଙ୍କୁ ୩ ଦିନ ଲାଗି କୋର୍ଟରୁ ମିଳିଛି ଅନ୍ତରିଣ ଜାମିନ୍ । ଖୋର୍ଦ୍ଧା ଏଡିଜେ-୧ କୋର୍ଟ ତାଙ୍କୁ (ଆସନ୍ତା ୯ରୁ ୧୧ ତାରିଖ ପର୍ଯ୍ୟନ୍ତ) ୩ ଦିନ ପାଇଁ ଅନ୍ତରିଣ ଜାମିନ୍ ପ୍ରଦାନ କରିଛନ୍ତି । ଦୁଇ ଜଣ ଜାମିନଦାର ଓ ୫୦ ହଜାର ଟଙ୍କା ବେଲ୍ ବଣ୍ଡରେ ପ୍ରଶାନ୍ତଙ୍କୁ ଅନ୍ତରିଣ ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ । ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ସେ କୋର୍ଟରେ ଜାମିନ୍ ଆବେଦନ କରିଥିଲେ ।
ପ୍ରକାଶ ଥାଉକି, ଗତ ୨୫ ତାରିଖରେ ମତଦାନ ବେଳେ ବୁଥ୍ ରେ ଇଭିଏମ୍ ଭଙ୍ଗାରୁଜା ଓ ପ୍ରିଜାଇଡିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ ହୋଇଥିଲେ ପ୍ରଶାନ୍ତ । ଏପରିକି ପୂର୍ବରୁ ମଧ୍ୟ ବିଜେପି କର୍ମୀଙ୍କ ଉପରେ ଗାଡି ମଡାଇବା ଘଟଣାରେ ସେ ଗିରଫ ହୋଇ ଚର୍ଚ୍ଚାରେ ରହିଥିଲେ ।