-
ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ
ଭୁବନେଶ୍ୱର, ଯିଏ ବି ମୁଖ୍ୟମନ୍ତ୍ରୀ ହେବେ, ନବୀନଙ୍କ ଠାରୁ ଭଲ ହେବେ । ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବେ । ସେ ଓଡ଼ିଆରେ କହି ପାରୁଥିବେ । ଓଡ଼ିଶାର ବିକାଶ ଓ ଏକ ନମ୍ବର ରାଜ୍ୟ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।
ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଜୟନାରାୟଣ କହିଛନ୍ତି, ନିର୍ଦ୍ଦିଷ୍ଟ ରଣନୀତି କରି ବିଜେଡିକୁ ଆକ୍ରମଣ କରିଥିଲୁ ଓ ସଫଳ ହେଲୁ । ଲୋକଙ୍କ ଭିତରେ କ୍ରୋଧ ଥିଲା । ରାଜ୍ୟରେ ଡାକ୍ତର ନାହାନ୍ତି । ଶିକ୍ଷକ ନାହାନ୍ତି । ଧାନମଣ୍ଡି ପ୍ରସଙ୍ଗ ବି ଉଠାଇଥିଲୁ । ଲୋକଙ୍କ ପାଖରେ ବିକଳ୍ପ ନଥିଲା । ଲୋକେ ବିକଳ୍ପ ଖୋଜୁଥିଲେ । ରତ୍ନଭଣ୍ଡାର ଚାବି ଖୋଜି ବାହାର କରିବୁ । କୋଷ୍ଟାଲ ହାଇୱେ କରିବୁ । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି ବୋଲି ସେ କହିଛନ୍ତି ।
ସେହିପରି ପାଣ୍ଡିଆନ ନିଖୋଜ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଜୟନାରାୟଣ କହିଥିଲେ- ସେ ଜେଲ୍ ଯିବେ । ତାଙ୍କୁ ପୁଲିସ ଖୋଜିବ । ନବୀନ ହିଁ ମୁଖ୍ୟ ଦୋଷୀ । ନବୀନ ଅନ୍ୟ ମୁଣ୍ଡରେ ଦୋଷ ଦେଇ ଖସି ପାରିବେନି । ପାଣ୍ଡିଆନଙ୍କୁ କିଏ ନିଯୁକ୍ତି କରିଥିଲା । ନବୀନ ହିଁ ତାଙ୍କ ନିଯୁକ୍ତିଦାତା । ପାଣ୍ଡିଆନଙ୍କ ମୁଣ୍ଡରେ ଦୋଷ ଦେଇ ସେ ଖସିଯାଇ ପାରିବେ ନାହିଁ । ପାଣ୍ଡିଆନ ଯେତିକି ଦାୟୀ, ନବୀନ ବି ସେତିକି ଦାୟୀ ।