
ଭୁବନେଶ୍ୱର, ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପ୍ରକ୍ରିୟା ସ୍ୱରୂପ ଆସନ୍ତାକାଲି (ମଙ୍ଗଳବାର)ସକାଳ ୮ ଘଟିକାରେ ଭୋଟ ଗଣନା ଆରମ୍ଭ ହେବ । ଖୋରଧା ଜିଲ୍ଲାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଭୁବନେଶ୍ୱର- ଏକାମ୍ର ଓ ଜଟଣୀ ବିଧାନସଭା କ୍ଷେତ୍ର ନିମନ୍ତେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ, ଚିଲିକା ବିଧାନସଭା କ୍ଷେତ୍ର ପାଇଁ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ବେଗୁନିଆ ଓ ଖୋର୍ଦ୍ଧା ନିମନ୍ତେ ଜିଲ୍ଲା ୱେର ହାଉସ ଠାରେ ଭୋଟ ଗଣତି ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାରେ ସ୍ୱଛ, ଅବାଧ, ନିରପେକ୍ଷ ଭାବେ ନିର୍ବାଚନ ପରିଚାଳନା ଏବଂ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଯାରି ନିର୍ଦ୍ଦେଶାନାମାର ପାଳନ ପୂର୍ବକ ମତଦାନ ଗଣନା କେନ୍ଦ୍ର ପରିସରରେ କୌଣସି ପ୍ରକାର ମୋବାଇଲ ଫୋନ, ଟାବଲେଟ, ସ୍ମାର୍ଟ ୱ୍ୟାଚ, ଯୋଗାଯୋଗ ରକ୍ଷା ଓ ରେକର୍ଡ଼ିଂ କରିବା ଭଳି ଇଲୋକ୍ଟ୍ରୋନିକ୍ସ ଯନ୍ତ୍ରପାତି ବ୍ୟବହାର ଉପରେ ନିଷେଧାଦେଶ ଯାରି କରାଯାଇଛି । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷ ଏହାକୁ ନେଇ ପାରିବେ କିମ୍ବା ବ୍ୟବହାର କରିପାରିବେ ।