
ଭୁବନେଶ୍ୱର, ଚଳିତ ନିର୍ବାଚନରେ ନିଶ୍ଚିତ ଭାବେ ପରିବର୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଏକାମ୍ର ପ୍ରାର୍ଥୀ ବାବୁ ସିଂ । ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ବିଗତ 4ଟି ନିର୍ବାଚନରେ ଏକ୍ସିଟ ପୋଲ ପାଖାପାଖି ଠିକ୍ ହୋଇଥିଲା । ବିଜେଡ଼ି ଗୋଡ଼ ତଳୁ ମାଟି ଖସି ଗଲାଣି । 25 ବର୍ଷର ଶାସନରେ ବିଜେଡ଼ି ରାଜ୍ୟକୁ ରସାତଳକୁ ନେଇଛି । ଓଡ଼ିଶାବାସୀଙ୍କ ସହ ବିଶ୍ୱାସଘାତକତା କରିଛି ବିଜେଡ଼ି । ସେଥିପାଇଁ ସେମାନେ ଏକ୍ସିଟ ପୋଲକୁ ବିଶ୍ୱାସ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । ତେଣୁ ବିଜେଡ଼ି ଦେଖିଥିବା ସ୍ୱପ୍ନକୁ ବାସ୍ତବତା ବୋଲି ଭାବି ନେଉଛି । ସାଧାରଣ ଲୋକ ବିଜେଡ଼ି ବିରୋଧରେ ପରିବର୍ତ୍ତନର ନାରା ଦେଇଛନ୍ତି । ଲୋକ ବିଜେଡ଼ି ସରକାରକୁ ବଙ୍ଗୋପ ସାଗରରେ ଫିଙ୍ଗିବା ପାଇଁ ପ୍ରସ୍ତୁତ ହେଲେଣି । ଏକଥା ମାନିବାକୁ ପ୍ରସ୍ତୁତ ନାହିଁ ବିଜେଡ଼ି । ପରିବର୍ତ୍ତନ ନିଶ୍ଚିତ ହେବ, ଏ କଥାକୁ ବିଜେଡ଼ି ବିଶ୍ୱାସ କରୁ ବା ନକରୁ କିଛି ଫରକ ପଡ଼ିବ ନାହିଁ । ଅଣଓଡ଼ିଆ ଅଫିସର ମାନଙ୍କ ହିସାବରେ ଆଉ ଶାସନ ଚାଲିବ ନାହିଁ । ସ୍ଵାଭିମାନୀ ଓଡ଼ିଆ ଲୋକଙ୍କ ଅସ୍ମିତା ଆଧାରରେ ସରକାର ଚାଲିବ । ଓଡ଼ିଆ ଭାଷା, ଭାବାବେଗ ଓ ଅସ୍ମିତା ସହ ଜଡ଼ିତ ଲୋକ ହିଁ ଓଡ଼ିଶାରେ ଶାସନ କରିବ । ଆସନ୍ତାକାଲି ସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି ।