-
ଛତିଶଗଡ଼ ଦରନାପାଲ ଅଂଚଳର କେତେକ ଲୋକଙ୍କୁ ପୋଲିସର ପଚରା ଉଚରା
ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଥିବା ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ ଅପହରଣ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତକୁ ଜୋରଦାର କରାଯାଇଛି । ତାଙ୍କ ସରକାରୀ ବାସଗୃହକୁ ପୋଲିସ ସିଲ୍ କରିବା ସହ ତାଙ୍କ ମୋବାଇଲ୍ କୁ ଜବତ କରିଛି । ଜବତ ମୋବାଇଲ୍ ରୁ କିଛି ତଥ୍ୟ ପାଇବା ପାଇଁ ପୋଲିସ ପ୍ରୟାସ ଜାରି ରଖିଛି । ମେଡିକାଲ ଚର୍ତୁପାଶ୍ୱର୍ରେ ଲାଗିଥିବା ସିସିଟିଭି ଓ କାଲିମେଳା ମୁଖ୍ୟ ରାସ୍ତାର କିଛି ବ୍ୟବସାୟୀଙ୍କ ଦୋକାନ ଓ ସିସିଟିଭିକୁ ପୋଲିସ ଯାଂଚ୍ କରୁଛି । ଏହି ଅପହରଣ ଘଟଣାରେ ମାଲକାନଗିରି ପୋଲିସ ଛତିଶଗଡ଼ ଦରନାପାଲ ଗ୍ରାମର କିଛି ଲୋକଙ୍କୁ ଥାନାରେ ଅଟକ ପଚରା ଉଚରା ଚଳାଇଛି ।
ପ୍ରକାଶ ଥାଉକି, ଗତ କିଛି ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ ଦରନାପାଲ ଗ୍ରାମର କେତେକ ଲୋକଙ୍କ ସହିତ ଡାକ୍ତର ଅମ୍ଲାନଙ୍କ ପାଟିତୁଣ୍ଡ ହୋଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ଡାକ୍ତର ଅମ୍ଲାନଙ୍କୁ ଶନିବାର ରାତିରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଡାକ୍ତର ଶ୍ରୀ ଭୋଇ କାଲିମେଳା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ନିଜ ସରକାରୀ ବାସଗୃହରେ ଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ବର୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜ୍ ଖବର ମିଳୁନାହିଁ । ଇତିମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ଅମ୍ଳାନଙ୍କ ପରିବାର ଲୋକ ଆସି କାଲିମେଳାରେ ପହଂଚିଛନ୍ତି ।
ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଜବତ ହୋଇଥିବା ମାଓବାଦୀ ନାମରେ ହାତଲେଖା ଚିଠି ବାସ୍ତବରେ ମାଓବାଦୀଙ୍କର ନୁହେଁ ଏବଂ ଏହି ଅପହରଣ ପଛରେ ମାଓବାଦୀଙ୍କ ସମ୍ପୃକ୍ତି ନଥିବା ଏସପି ନିତିଶ ୱାଧବାନି କହିଛନ୍ତି ।