କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ଜୟରାମ ରମେଶ ପାର୍ଟି ମୁଖ୍ୟାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ସାରା ଦେଶର ପାର୍ଟିର ପ୍ରମୁଖ ନେତା, ପ୍ରଦେଶ ଅଧ୍ୟକ୍ଷ ଓ ବିଧାୟକ ଦଳର ନେତାଙ୍କ ସହ ଆଲୋଚନା କରି ରାଜ୍ୟରେ ପାର୍ଟି ଓ ବିରୋଧୀ ମେଂଟର ସ୍ଥିତି ଉପରେ ଚର୍ଚ୍ଚା କରିଛନ୍ତି । ସେ ଦାବି କରିଛନ୍ତି ଯେ, ବିଭିନ୍ନ ଚ୍ୟାନେଲ ଓ ଏଜେନ୍ସି ପକ୍ଷରୁ କରାଯାଇଥିବା ଏକଜିଟ ପୋଲ ସର୍ଭେ ମିଛ ଅଟେ ଏବଂ ବିରୋଧୀ ମେଂଟକୁ 295ରୁ ଅଧିକ ସିଟ୍ ମିଳିବ । ଜୟରାମ ରମେଶଙ୍କ ସହିତ ଏହି ଆଲୋଚନାରେ ପାର୍ଟି ନେତାମାନେ ନିଜ ନିଜ ରାଜ୍ୟରେ ମେଂଟକୁ ମିଳୁଥିବା ସିଟ ଉପରେ ନିଜ ନିଜ ଦାବି କରିଛନ୍ତି । ହରିୟାଣାର ପ୍ରଦେଶ ଅଧ୍ୟକ୍ଷ ଉଦୟ ଭାନ ଦାବି କରିଛନ୍ତି ରାଜ୍ୟରେ କଂଗ୍ରେସକୁ 8ଟି ସିଟ୍ ମିଳିବ । ଏଭଳି ଭାବେ ଗୁଜରାଟ କଂଗ୍ରେସ ଅଧ୍ୟକ୍ଷ ଶକ୍ତି ସିଂହ ଗୋହିଲ ଦାବି କରିଛନ୍ତି ଯେ, ପାର୍ଟି 4ରୁ 5ଟି ସିଟ୍ ଜିତିବ । ରାଜସ୍ଥାନରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ପାର୍ଟିକୁ 12ରୁ 13 ସିଟ୍ ମିଳିବ । ପଂଜାବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ 9ଟି ସିଟ୍ ମିଳିବ ।