ଜୟପୁର, ଜୟପୁର ପୌର ସଭାଗୃହରେ ଆଜି ପ୍ରଶାସନ ତରଫରୁ ଏକ ସାମ୍ବାଦିକ ସମ୍ମିଳନି ଆୟୋଜନ କରାଯାଇଥିଲା । ଆସନ୍ତା ୪ ତାରିଖରେ କଡା ସରୁକ୍ଷା ବଳୟ ମଧ୍ୟରେ ଭୋଟ ଗଣତି ହେବ ବୋଲି ଏଆରଓ ତଥା ଜୟପୁର ଉପ ଜିଲାପାଳ ପ୍ରଭାତ କୁମାର ପରିଡା ସୂଚନା ଦେଇଛନ୍ତି । ଜୟପୁର ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ପରିସରରେ ଭୋଟ ଗଣତି ହେବ । କୋଟପାଡ ଓ ଜୟପୁର ବିଧାନସଭା ନିର୍ବାଚନ ମଣ୍ଡଳି ସହ କୋରାପୁଟ ଓ ନବରଙ୍ଗପୁର ସାଂସଦୀୟ କ୍ଷେତ୍ରର ଭୋଟ ଗଣତି ହେବ । ଜୟପୁର ଦଶହରା ପଡିଆ ଦେଇ ସମସ୍ତେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟକୁ ପ୍ରବେଶ କରିବେ । ଦଶହରା ପଡିଆ ଠାରେ ଭୋଟ ଗଣତିର ତଥ୍ୟ ଜାଣିବା ପାଇଁ ୧ ହଜାର ଲୋକଙ୍କ ପାଇଁ ଟେଣ୍ଟର ବ୍ୟବସ୍ଥା, ଏଲଇଡି ଟିଭି ଲାଗିବା ସହ ପାନୀୟ ଜଳର ବ୍ୟବସ୍ଥା ଆଦି କରାଯାଇଛି । କାଉଣ୍ଟିଙ୍ଗ ହଲ ନିକଟରେ ମିଡିଆ ସେଲ କରାଯାଇଛି । ଜୟପୁର ନିର୍ବାଚନ ମଣ୍ଡଳିର ୨୩୮ଟି ବୁଥ ପାଇ ୧୦ଟି ଟେବୁଲ କରାଯାଇଛି । ୨୪ ରାଉଣ୍ଡ ଗଣତି କରାଯିବ ।
ସେହିପରି କୋଟପାଡ ନିର୍ବାଚନ ମଣ୍ଡଳି ପାଇଁ ୨୪୩ଟି ବୁଥ ପାଇଁ ୧୦ଟି ଟେବୁଲ କରାଯାଇଛି । ୨୫ ରାଉଣ୍ଡ ଗଣତି କରାଯିବ । ପୋଷ୍ଟାଲ ବେଲେଟ ପାଇଁ ୫ଟି ଟେବୁଲ କରାଯାଇଛି । ପ୍ରଶାସନ ତରଫରୁ ଟ୍ରାଫିକ ଓ ଗହଳି ନିୟନ୍ତ୍ରଣ ପାଇଁ ନବରଙ୍ଗପୁର, ବୋରିଗୁମ୍ମା ଓ କୋଟପାଡ ପଟୁ ଆସୁଥିବା ସମସ୍ତ ଗାଡି କେନାଲର ରୋଡ ଦେଇ ଗାନ୍ଧୀଛକରେ ବାହାରିବ । କୋରାପୁଟ ପଟୁ ଆସୁଥିବା ସମସ୍ତ ଗାଡି ଗାନ୍ଧୀ ଛକ ବାଇପାସ କେନାଲ ରୋଡ ଦେଇ ବାହାରିବ । ମୁଖ୍ୟ ଟ୍ରାଫିକ ଛକ ଠାରୁ ଖ୍ରୀଷ୍ଟିଆନପେଟା ଛକ ଯାଏ ଗାଡି ଚଳାଚଳକୁ ବନ୍ଦ କରାଯାଇ ଚଲାପଥ କରାଯାଇଛି । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ବେଲାଟ ପେପର ଗଣତି କରାଯିବ ଓ ପରେ ଇଭିଏମ ଗଣତି ହେବ । ଗ୍ରୀଷ୍ମ ପ୍ରବାହକୁ ଦେଖି ଷ୍ଟ୍ରଙ୍ଗରୁମ ନିକଟରେ ଆମ୍ବୁଲାନ୍ସ ସହ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଗଣତି ହଲକୁ କେବଳ କାଉଣ୍ଟିଙ୍ଗ ସୁପରଭାଇଜର, ଆସିଷ୍ଟାଣ୍ଡ କାଉଣ୍ଟିଙ୍ଗ ସୁପରଭାଇଜର ଓ ମାଇକ୍ରୋ ଅବଜରବର ଓ ପ୍ରାର୍ଥିଙ୍କ ଏଜେଣ୍ଟ ମାନେ ପ୍ରବେଶ କରିପାରିବେ ।
ଏହି ସମ୍ବାଦିକ ସମ୍ମାିଳନିରେ ପୌର ନିର୍ବାହି ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ର, ତହସିଲଦାର ମୋନାଲିସା ଆଚାଯ୍ୟ, ସଦର ଥାନା ଅଧିକାରି ଇଶ୍ଵର ତାଣ୍ଡି, ଟାଉନ ଥାନା ଅଧିକାରି ରମଣି ରଞ୍ଜନ ଦଳେଇ, ଏସଡିପିଆରଓ ଯଶୋଦା ଗାଦବାଙ୍କ ସହ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ମାନେ ଉପସ୍ଥିତ ଥିଲେ ।