-
ଦୁଇ ଦିନରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ସୂଚନା : ସ୍ଥିତିର ସମୀକ୍ଷା ପାଇଁ ପହଂଚିଲେ ତିନି ଜଣିଆ ଡାକ୍ତରୀ ଟିମ୍
ରାଉରକେଲା, ରାଉରକେଲାରେ ଅସ୍ଵାଭାବିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି । ଦୁଇ ଦିନରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୧୮ ଜଣଙ୍କ ମଧ୍ୟରୁ ୮ ଜଣଙ୍କୁ ରିସିଭ୍ ଡେଥ୍ ଘୋଷଣା କରାଯାଇଛି । ମୃତକ ମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଆଜି ସଂନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବ । ଅନ୍ୟ ୧୦ ଜଣଙ୍କ ମଧ୍ୟରୁ ସରକାରୀ ହସ୍ପିଟାଲରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୫ ଜଣ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗରମ ଓ ଖରାରେ ପ୍ରଭାବିତ ଗତ ତିନି ଦିନ ଧରି ଜିଲ୍ଲାର ବିଭିନ୍ନ ଅଂଚଳରେ ଏଭଳି ରୋଗୀଙ୍କ ସଂଖ୍ୟା ବଢିଛି । ବର୍ତମାନ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ସ୍ଥିତିର ସମୀକ୍ଷା କରିବା ପାଇଁ ଭୁବନେଶ୍ଵରରୁ ତିନି ଜଣିଆ ଡାକ୍ତରୀ ଟିମ୍ ଆଜି ରାଉରକେଲାରେ ପହଂଚି ସ୍ଥିତିର ସମୀକ୍ଷା କରୁଛନ୍ତି । ଏଭଳି ମୃତ୍ୟୁର ଶିକାର ହୋଇଥିବା ଅନେକ ରୋଗୀଙ୍କ ନାକରୁ ରକ୍ତ ବାହାରିଥିବା ବେଳେ କେତେକଙ୍କ ପାଟିରୁ ଫେଣ ବାହାରୁ ଥିଲା । ଏବଂ ଅନ୍ୟ କେତେକ ଝାଡ଼ାବାନ୍ତିର ଶିକାର ହୋଇଥିଲେ । ତେବେ ଜିଲ୍ଲାରେ ସେହି ଦିନ ଗୁଡିକରେ ତାପମାତ୍ରା ୪୫ ଡ଼ିଗ୍ରୀରୁ ଅଧିକ ଥିବାରୁ ଏହା ଅଂଶୁଘାତଜନିତ ମୃତ୍ୟୁ ବୋଲି ପରିବାର ଓ ସାଧାରଣରେ କୁହାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ସେପଟେ ଆଜି ଖରାରୁ ରକ୍ଷା ପାଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜନସଚେତନତାକୁ ଜୋରଦାର କରାଯାଇଥିବା ବେଳେ ଚାଲିଥିବା ଠିକା କାମ ଗୁଡିକୁ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଇଛି ।