
କେନ୍ଦୁଝର, ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଦେହାନ୍ତ ହୋଇଛି । ୮୯ ବର୍ଷ ବୟସରେ କେନ୍ଦୁଝର ସ୍ଥିତ ତାଙ୍କ ନିଜସ୍ଵ ଘରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ସେ କିଛି ଦିନ ହେବ ଗୁରୁତର ଥିଲେ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଘର ଲୋକେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।
କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ସେ ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇ ଥିଲେ । ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ମାଗୁଣି ଚରଣଙ୍କ ମୃତ୍ୟୁ ଖବର ପାଇ ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନିୟ ଲୋକଙ୍କ ସୁଅ ଛୁଟିଛି । ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ଜଣାପଡିଛି ।