
ନୂଆଦିଲ୍ଲୀ, ଦୁନିଆର ଟପ୍ ବିଲେନିୟର ତାଲିକାରେ ପୁଣି ପରିବର୍ତ୍ତନ ହୋଇଛି । ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପ୍ରମୁଖ ମୁକେଶ ଅମ୍ବାନୀଙ୍କୁ ପୁଣି ଥରେ ପଛରେ ପକାଇ ଏସିଆର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି ।
ବ୍ଲୁବବର୍ଗ ବିଲେନିୟର୍ସ ଇଡେକ୍ସର ଶନିବାର ଜାରି ତାଜା ତାଲିକା ମୁତାବକ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କ ନେଟୱର୍ଥ 5.45 ଆରବ ଡଲାରରୁ ବୃଦ୍ଧି ପାଇ 111 ଆରବ ଡଲାରରେ ପହଂଚିଛି ।ଏହା ସହିତ ସେ ବିଶ୍ୱର ଧନୀ ତାଲିକାରେ 11ତମ ଓ ଏସିଆର ପ୍ରଥମ ସ୍ଥାନରେ ପହଂଚିଛନ୍ତି । ଆରଆଇଏଲର ମୁଖ୍ୟ ମୁକେଶ ଅମ୍ବାନୀ 109 ଆରବ ଡଲାରର ନେଟୱର୍ଥ ସହିତ ବିଶ୍ୱର ଧନୀ ତାଲିକାରେ 12ତମ ଓ ଏସିଆର ଦ୍ୱିତୀୟ ସ୍ଥାନକୁ ଖସିଛନ୍ତି ।
ଇଣ୍ଡେକ୍ସର ତାଜା ତାଲିକା ମୁତାବକ ଫ୍ରାନ୍ସର ବନାର୍ଡ ଅରନାଲ୍ଟ 207 ଆରବ ଡଲାର ସଂପତ୍ତି ସହିତ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଏଲନ ମସ୍କ 203 ଆରବ ଡଲାର ନେଟୱର୍ଥ ସହିତ ଦ୍ୱିତୀୟ ସ୍ଥାନ ଓ ଜେଫ ବେଜୋସ 199 ଆରବ ଡଲାର ସଂପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ।