
ବଲାଙ୍ଗିର, ବଲାଙ୍ଗୀର ସହରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ଯୋଗୁଁ ତାପମାତ୍ରା ୪୬ ଡିଗ୍ରୀ ଉପରେ ରହୁଥିବା ବେଳେ ଗତ ତିନିଦିନ ହେଲା ବାରମ୍ବାର ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ଜନ ସାଧାରଣ ଅତିଷ୍ଠ ହୋଇପଡିଛନ୍ତି । ଲୋକଙ୍କ ଅସନ୍ତୋଷକୁ ନେଇ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଶ୍ରୀମତୀ ସାହୁ ଗତକାଲି ସନ୍ଧ୍ୟାରେ ଏକ ପ୍ରତିନିଧି ଦଳଙ୍କୁ ନେଇ ବଲାଙ୍ଗୀର ବିଦ୍ୟୁତ ବିଭାଗ ର ଅଧିକ୍ଷଣଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚି ବିଦ୍ୟୁତ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଚଳିତ ବର୍ଷ ବିଦ୍ୟୁତ ବିଭ୍ରାଟ କାରଣରୁ ଲୋକମାନେ ଅତିଷ୍ଠ ହୋଇପଡିଲେଣି ତେଣୁ ସମସ୍ୟାର ସମାଧାନ କରାଯାଉ ନଚେତ ଲୋକ ମାନଙ୍କୁ ଆନ୍ଦୋଳନ ମୁହାଁ କରାନଯାଉ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ଆଲୋଚନା କାଳରେ ସହରର କେତେକ ଅଞ୍ଚଳରେ ଅଧିକ ଲୋଡ କାରଣରୁ ପୁରୁଣା ତାର ଛିଣ୍ଡି ଯାଉଛି କିମ୍ବା ଅତ୍ୟଧିକ ଗରମରେ ତରଳିଯାଉଛି ତେଣୁ ବିଦ୍ୟୁତବିଭ୍ରାଟ ହେଉଛି ବୋଲି ଅଧିକ୍ଷଣଯନ୍ତ୍ରୀ ଇଂ. ଆଶିଷ ପଣ୍ଡା କହିଥିଲେ । ତେବେ ପୂର୍ବରୁ ବିଦ୍ୟୁତ ବିଭାଗ କାହିଁକି ପ୍ରସ୍ତୁତ ରହୁନାହିଁ ବୋଲି ଉପସ୍ଥିତ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଓ ଅନ୍ୟମାନେ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଫଳରେ ଯନ୍ତ୍ରୀ ଏହାର କୌଣସି ଉତ୍ତର ଦେଇନପାରି ସମସ୍ୟାର ସମାଧାନ ପାଇଁ ଆଉ ୩ରୁ ୪ ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ ।
ଆଲୋଚନା ବେଳେ ପୌରାଧ୍ୟକ୍ଷା କହିଥିଲେ ଯେ, ବଲାଙ୍ଗୀର ସହରରେ ଅନେକ ଅଞ୍ଚଳକୁ କେବୁଲିଂ କରାଯାଇ ପାରିନାହିଁ । ସେହିପରି ଅନେକ ସ୍ଥାନରେ ନୂଆ ଟ୍ରାନ୍ସଫର୍ମର ବସାଇବାର ଥିଲେ ହେଁ ତାହା କରାଯାଇ ନାହିଁ । ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦେବାକୁ ସେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ଆଲୋଚନାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହିତ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ବିଜେଡି ନଗର ସଭାପତି ତଥା କାଉନସିଲର ଶମ୍ଭୁ ନାଗ, ଯୁବନେତା ଚନ୍ଦ୍ରମଣୀ ତ୍ରୀପାଠୀ, ବୁଲୁ ବେହେରା, ବିଭୂତିଭୂଷଣ ମିଶ୍ରଙ୍କ ସମେତ ଆହୁରି ଅନେକ ଲୋକ ଉପସ୍ଥିତ ଥିଲେ ।