
-
ନିୟୋଜିତ ହେବେ ୩୬ ହଜାର ପୋଲିସ ଫୋର୍ସ
ଭୁବନେଶ୍ୱର, ଆସନ୍ତାକାଲି (ଶନିବାର)ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଶେଷ ପର୍ଯ୍ୟାୟରେ ୬ ଲୋକସଭା ଯଥା ମୟୂରଭଞ୍ଜ , ବାଲେଶ୍ୱର, ଭଦ୍ରକ, ଯାଜପୁର , କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନରେ ଆସନ୍ତାକାଲି ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ କୌଣସି ସ୍ଥାନରେ ମାଓବାଦୀ କାର୍ଯ୍ୟକଳାପ ନାହିଁ, ହିଂସାକାଣ୍ଡକୁ ନଜର ରଖାଯାଇଛି ବୋଲି ପୋଲିସ୍ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି । ସେ କହିଛନ୍ତି ପ୍ରଥମ ଥର ପାଇଁ ୨୫ ବର୍ଷ ପରେ ମାଓବାଦୀ ଅଂଚଳରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ଏଥର ୧୦ ହଜାର ୮୮୨ ଟି ବୁଥ୍ ଅଛି । ଏହା ଭିତରେ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ୩୬ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ । ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ । ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ କେଂଟ୍ରାଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।
ଅନ୍ୟପଟେ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି । ସୀମାବର୍ତୀ ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି । ଏହା ବ୍ୟତୀତ ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୩ ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ବୋଲି ଡିଜିପି କହିଛନ୍ତି ।