ବଲାଣି,ରାଷ୍ଟ୍ରାୟତ ତଥା ମହାରତ୍ନ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍)ର ବିଭିନ୍ନ କାରଖାନା ଓ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ରାତ୍ରୀକାଳୀନ ଭତ୍ତା ୯୦ ଟଙ୍କାରୁ କର ବିହୀନ ୧୮୦ ଟଙ୍କାକୁ ବୃଦ୍ଧି ପାଇଛି । ତେବେ କର୍ମଚାରୀ ମାନେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା(ବି ଏ ଏସ୍) ରେ ସାମିଲ ହୋଇ ଏହି ସୁବିଧା ପାଇପାରିବେ ବୋଲି ସେଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ବ୍ୟତୀତ ଯେଉଁଠାରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ହୋଇନାହିଁ ସେଠାରେ ୩ ମାସ ମଧ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାକୁ ସେଲ୍ ଯୋଜନା ରଖିଛି । ନୂଆଦିଲ୍ଲୀ ଠାରେ ଗୁରୁବାର ସେଲ୍ କତ୍ତୃପକ୍ଷ ଓ ଅଣ ଅଧିକାରୀ କର୍ମଚାରୀଙ୍କ ଦ୍ଵାରା ଗଠିତ ରାଷ୍ଟ୍ରୀୟ ଇସ୍ପାତ ସଂଯୁକ୍ତ କମିଟି(ଏନ ଜେ ସି ଏସ୍)ର ଉପକମିଟି ମଧ୍ୟରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନଜେସିଏସ୍ ବୈଠକରେ ଆଇଏନଟିୟୁସି, ବିଏମଏସ୍, ଏଚ୍ ଏମ ଏସ୍, ସିଆଇଟିୟୁ, ଏଆଇଟିୟୁସି ଭଳି ଶ୍ରମିକ ସଂଗଠନ ସାମିଲ ଥିବା ବେଳେ ସିଆଇଟିୟୁ ଓ ଏଆଇଟିୟୁସି ସେଲ୍ କତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ସେଲ୍ ରେ କର୍ମଚାରୀଙ୍କ ୩୯ ମାସର ବେତନ ସଂଶୋଧନ ବକେୟା, ଏଚ୍ ଆର ଏ, ଦାସା ଭଳି ଅତି ଗୁରୁତ୍ଵପୂର୍ଣ୍ଣ ଦାବି ଲମ୍ବିତ ହୋଇ ପଡ଼ିଥିବା ବେଳେ କେବଳ ରାତ୍ରୀକାଳୀନ ଭତ୍ତା ଉପରେ ନିଷ୍ପତ୍ତି ନେବା ସେଲ୍ ଶ୍ରମିକଙ୍କ ସ୍ଵାର୍ଥ ବିରୋଧୀ ନିଷ୍ପତ୍ତି ବୋଲି ବିବେଚନା ହେବ ବୋଲି ସିଆଇଟିୟୁ ଓ ଏଆଇଟିୟୁସି ଶ୍ରମିକ ସଂଗଠନର ପ୍ରତିନିଧି ମାନେ ବୈଠକରେ କହିବା ସହିତ ଏହାକୁ ବିରୋଧ କରିଥିଲେ । ଏହା ବ୍ୟତୀତ ସିଆଇଟିୟୁ ରାତ୍ରୀକାଳୀନ ଭତ୍ତାକୁ କର ବିହୀନ ୨୩୦ ଟଙ୍କା କରିବାକୁ ପ୍ରସ୍ତାବ ରଖିଥିଲେ । ତେବେ ଆଇଏନଟିୟୁସି, ବିଏମଏସ୍ ଓ ଏଚଏମଏସ୍ ଶ୍ରମିକ ସଂଗଠନ ମାନଙ୍କ ଦ୍ଵାରା ସେଲ୍ ଦ୍ଵାରା ପ୍ରସ୍ତାବିତ ରାତ୍ରୀକାଳୀନ ଭତ୍ତାକୁ କରବିହୀନ ୧୮୦ ଟଙ୍କାକୁ ଗ୍ରହଣ କରିଥିବାରୁ ବହୁମତ ଯୋଗୁଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ରହିଛି । ତେବେ ସିଆଇଟିୟୁ ଏପରି ନିଷ୍ପତ୍ତିକୁ ଗ୍ରହଣ କରିବନି ଓ ଶ୍ରମିକସ୍ଵାର୍ଥ ହାସଲ ନିମନ୍ତେ ସେଲର ସମସ୍ତ କାରଖାନା, ଖଣି ଓ ବିଭିନ୍ନ ୟୁନିଟ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ଏକ ହୋଇ ଆଗାମୀ ଦିନରେ ଶ୍ରମିକ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ସିଆଇଟିୟୁ ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଲଳିତମୋହନ ମିଶ୍ର ଆହ୍ଵାନ ଦେଇଛନ୍ତି ।
ଅନ୍ୟପକ୍ଷରେ ରାଉରକେଲା ଇସ୍ପାତ କାରଖାନା ଅଧୀନରେ ଥିବା ଓଡିଶା ଖଣି ସମୂହର ବଲାଣି ଖଣିରେ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ମିଳିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଶ୍ରମିକ ମାନେ ସେଲ୍ ର ଏପରି ନିଷ୍ପତ୍ତି ଉପରେ ଅସନ୍ତୋଷ ଜାହିର କରିଛନ୍ତି । ଯେଉଁଠାରେ କର୍ମଚାରୀଙ୍କ ୩୯ ମାସର ବାକେୟା ରାଶି, ଏଚ୍ ଆର ଏ , ଇନକ୍ରିମେଣ୍ଟ ଏବଂ ଅନ୍ୟାନ୍ୟ ଅତି ଗୁରୁତ୍ଵପୂର୍ଣ୍ଣ ଦାବି ଉପରେ ନିଷ୍ପତ୍ତି ନେବାକୁ ସେଲ୍ କତ୍ତୃପକ୍ଷ ଟାଳଟୁଳ ନୀତି ଆପଣାଉଥିବା ବେଳେ ରାତ୍ରୀକାଳୀନ ଭତ୍ତା ଭଳି ଏତେଟା ଗୁରୁତ୍ଵ ରଖୁନଥିବା ଦାବି ଉପରେ ନିଷ୍ପତ୍ତି ଗ୍ରହଣ କରି ବିଭିନ୍ନ ଶ୍ରମିକ ସଂଗଠନ ସହିତ ରାଜିନାମା ସ୍ବାକ୍ଷର କରିବା ସେଲ୍ କର୍ମଚାରୀଙ୍କୁ ଲଲିପପ୍ ଧରାଇବା ସଦୃଶ ବୋଲି ବଲାଣି ଖଣି କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି ।