ମାଲକାନଗିରି, ଚାହିଦା ଓ ଯୋଗାଣ ଭିତରେ ସମନ୍ଵୟ ରଖା ନଗଲେ ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଥିବା ବେଳେ ଖାଉଟିକୁ ଅସ୍ଵାଭାବିକ ଦାମ୍ ରେ ସାମଗ୍ରୀ କିଣିବାକୁ ପଡିଥାଏ । ଜିଲ୍ଲା ପ୍ରଶାସନର କଟକଣା ନଥିବାରୁ ଏବେ ମାଲକାନଗିରିରେ ଅଦା କିଣାବିକାରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ଅଦା ପାଇଁ ପ୍ରସିଦ୍ଧ ସ୍ଵାଭିମାନ ଅଞ୍ଚଳ ଚିତ୍ରକୋଣ୍ଡାରୁ ବେପାରୀମାନେ ଚାଷୀଙ୍କ ପାଖରୁ ଅଦା କେଜି ୬୦ରୁ ୭୦ ଟଙ୍କାରେ କିଣି ନେଇ ଜିଲ୍ଲା ସଦର ବଜାରରେ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଗୋଟେ ପଟେ ଚାଷୀ ଅଭାବୀ ବିକ୍ରୀର ଶିକାର ହେଉଥିବା ବେଳେ ସାଧାରଣ ଖାଉଟି ତ୍ରାହି ତ୍ରାହି ଡାକୁଛନ୍ତି । ଅଦା ସଂରକ୍ଷଣ ବ୍ୟବସ୍ଥା ସହିତ ପକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରାଗଲେ ଉପକୃତ ହୋଇପାରିବେ ବୋଲି ଚାଷୀମାନେ କହିଛନ୍ତି । ଚିତ୍ରକୋଣ୍ଡା ଅଞ୍ଚଳର ଅଦାଚାଷୀ ରାମ ପାଙ୍ଗି, ରଘୁ ଗୋଲନା, ଘନଶ୍ୟାମ ମୁଦୁଲି ପ୍ରମୁଖ କହିଛନ୍ତି, ଗତ କିଛିବର୍ଷ ହେଲା ସେମାନଙ୍କ ଅଞ୍ଚଳ ଅଦା ର ବେଶ ଚାହିଦା ରହିଆସୁଛି । ଜୈବିକ ପଦ୍ଧତିରେ କରାଯାଉଥିବାରୁ ଆନ୍ଧ୍ର ବେପାରୀମାନେ ଅମଳ ବେଳେ ଏଠାକୁ ଆସି ଚାଷୀଙ୍କ ପାଖରୁ ଅଦା କିଣି ନେଉଛନ୍ତି ଓ ଚାଷୀଙ୍କ ପାଖରୁ କେଜି ପ୍ରତି ସର୍ବାଧିକ ୭୦ ଟଙ୍କାରେ ମାଲ ନେଉଛନ୍ତି। ହେଲେ ଖୋଲାବଜାରରେ ସେହି ଅଦାକୁ ସେମାନେ ୩୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ମାଲାମାଲ ହେଉଛନ୍ତି । ଫଳରେ ସାଧାରଣ ଖାଉଟିଙ୍କୁ ହଇରାଣ ହେବାକୁ ପଡ଼ୁଛି। ସ୍ଵାଭିମାନ ଅଞ୍ଚଳର ଉତ୍ପାଦିତ ଅଦା ସବୁ ଆନ୍ଧ୍ରକୁ ଚାଲି ଯାଉଛି । ଚିତ୍ରକୋଣ୍ଡା ବ୍ଳକର ବଡ଼ପଡ଼ା, ପାପରମେଟଲା, ଯୋଡାମ୍ବ, ପଣସପୁଟ, ବଡପଦର ପଞ୍ଚାୟତରେ ସେତୁ ଯୋଜନାରେ ପ୍ରାୟ ୧୦୦ ଏକରରୁ ଅଧିକ ଜମିରେ ଏଥର ଅଦା ଚାଷ କରାଯାଇଛି । ସରକାରଙ୍କ ତରଫରୁ ଏଥିପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ଏଥର ଅଧିକ ଅମଳ ହୋଇଥିବା ବେଳେ ସ୍ଥାନୀୟ ବଜାରରେ ତାହାର ଦେଖା ନାହିଁ । ଉଭୟ ଚାଷୀ ଓ ଖାଉଟି ଲୁଟ୍ ର ଶିକାର ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ ଉଚ୍ଚ କ୍ଷମତାସମ୍ପନ୍ନ ଶୀତଳଭଣ୍ଡାର ହୋଇପାରୁ ନଥିବାରୁ ଚାଷୀମାନେ ଅମଳ ହେବା ମାତ୍ରେ କମ୍ ମୂଲ୍ୟରେ ବାହାର ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚଳିତ ବର୍ଷ ଆନ୍ଧ୍ରରେ ଅଦା ଅମଳ ବାଧାପ୍ରାପ୍ତ ଥିବାରୁ ମାଲକାନଗିରି ଅଦାକୁ ଆନ୍ଧ୍ର ବେପାରୀମାନେ ନେଇ ଯାଉଛନ୍ତି । ଅଦା ଦର ଆକାଶଛୁଆଁ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀମାନେ କହିଛନ୍ତି ।
ଉଦ୍ୟାନ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମାଝୀ କହିଛନ୍ତି, ସ୍ଵାଭିମାନ ଅଞ୍ଚଳର ଶୀତଳ ଜଳବାୟୁ ଓ ପାହାଡ଼ିଆ ମାଳଭୂମି ଅଦା ଚାଷ ପାଇଁ ଅନୁକୂଳ ହୋଇଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଚଳିତବର୍ଷ ପ୍ରଥମ ଥର ପାଇଁ ୧୬ ଜଣ ଚାଷୀଙ୍କୁ ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଦିଆଯାଇ ଉନ୍ନତ ମାନର ଅଦା ବିହନ ଯୋଗାଇ ଦିଆଯାଇଥିଲା । ୫ ଏକରରୁ ଅଧିକ ଜମିରେ ସେମାନେ ଉନ୍ନତମାନର ଅଦା ଚାଷ କରିଛନ୍ତି । ଏକର ପିଛା ୧୫ କ୍ଵିଣ୍ଟାଲ ଲେଖାଏଁ ଅମଳ କରୁଛନ୍ତି । ପରବର୍ତ୍ତୀ ସମୟରେ ଅଧିକ ଚାଷୀଙ୍କୁ ଅଦା ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ତେବେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଅଦାର ଉଚିତ ମୂଲ୍ୟ ପାଇବାରୁ ଚାଷୀ ବଞ୍ଚିତ ହେଉଥିବା ସେ ସ୍ଵୀକାର କରିଛନ୍ତି ।