ମାଲକାନଗିରି,ଚିତ୍ରକୋଣ୍ଡା ବ୍ଲକ ପୂର୍ବରୁ ଥିବା ବିଛିନ୍ନାଞ୍ଚଳ ତଥା ବର୍ତମାନର ସ୍ଵାଭିମାନ ଅଞ୍ଚଳରେ ମୁଖ୍ୟତଃ ଜନସାଧାରଣଙ୍କ ଜୀବନ ଧାରଣର ପ୍ରମୁଖ ସାଜିଥିଲା ଗଞ୍ଜେଇ। ଏହି ଚାଷକୁ ଗୁରୁତ୍ଵ ଦେଇ ଚାଷ କରାଯାଉଥିଲା। ଏହି ଅଞ୍ଚଳରେ ପ୍ରାୟ ସମସ୍ତେ ଗଞ୍ଜେଇ ଚାଷ କରନ୍ତି ଓ ଏହା ମାଧ୍ୟମରେ ନିଜର ଜୀବିକା ନିର୍ବାହ କରୁଥିଲେ। କିନ୍ତୁ, ସ୍ଥିତି ବଦଳିବା ସହ ସମୟ ସୁଅରେ ସ୍ଵାଭିମାନ ଅଞ୍ଚଳରେ ସବୁଜ ଚାଷ ବଦଳରେ ପନିପରିବା ଠାରୁ ଆରମ୍ଭ କରି ଅର୍ଥକରୀ କଦଳୀ, ହଳଦୀ ଭଳି ଅନେକ ଚାଷକୁ ଗୁରୁତ୍ଵ ଦେଇଛନ୍ତି ଲୋକେ। ଏକଦା ମାଓ ଗଡ଼ ଓ ଜଳ ବନ୍ଦୀ ମଧ୍ୟରେ ଗଞ୍ଜେଇ ଚାଷର ଭଣ୍ଡାର ଏବଂ ଅପହଞ୍ଚ ଇଲାକାର ପରିଚୟ ପାଇ ରହି ଆସୁଥିବା ମାଲକାନଗିରି ଜିଲ୍ଲାର ବିଛିନ୍ନାଞ୍ଚଳରେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁକୁ ୨୦୧ ୮ ମସିହାରେ ସଫଳତାର ସହ ଶେଷ କରିବା ପରେ ସେହି ଅଞ୍ଚଳକୁ ସ୍ଵାଭିମାନ ଅଞ୍ଚଳରେ ନାମକରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ୧୦୦ କୋଟିର ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିବା ସହ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ଵାଭିମାନ ଅଞ୍ଚଳରେ ସମୟ କ୍ରମେ ଲୋକେ ଗଞ୍ଜେଇ ଚାଷ ଅପେକ୍ଷା ହଳଦୀ ଚାଷ ମୁହାଁ ହୋଇଥିଲେ। ଯାହା ଫଳରେ ଅଞ୍ଚଳର ଲୋକେ ସ୍ଵାଭିମାନର ସହ ବଞ୍ଚିବା ଶିଖିଥିଲେ। ସ୍ଵାଭିମାନ ଅଞ୍ଚଳର ବିକାଶ ପାଇଁ ସରକାର ସଦା ସର୍ବଦା ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବିକାଶ ଧାରାରେ ଯୋଡି ହେଉଥିବା ସ୍ଵାଭିମାନ ଅଞ୍ଚଳରେ ବାର୍ଷିକ ୫୦ ଟନରୁ ଊର୍ଦ୍ଧ୍ବ ହଳଦୀ ଅମଳ ହେଉଥିବା ସୂଚନା ମିଳିଛି। ଏହି ହଳଦୀକୁ ବିଶ୍ଵ ସ୍ତରରେ ପହଁଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ତେବେ ହଳଦୀ ଚାଷ ପରେ ଅଞ୍ଚଳରେ ମହିଳା ଓ ପୁରୁଷମାନେ ବେଶ ସ୍ଵାବଲମ୍ବୀ ହୋଇ ପଡୁଥିବା ବେଳେ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ପ୍ରଥମପର୍ଯ୍ୟାୟରେ ଛୋଟ ଛୋଟ ମିଲ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ପ୍ରାୟ ୫ଟି ବଡ ୟୁନିଟ୍ କରାଯାଇ କିଭଳି ଭାବେ ଚିତ୍ରକୋଣ୍ଡାର ହଳଦୀକୁ ବିଶ୍ଵ ବଜାରରେ ବିକ୍ରି କରାଯିବ ସେ ନେଇ କାର୍ଯ୍ୟ ଆରମ୍ଭ କରାଯାଇଛି। ସ୍ଵାଭିମାନ ଅଞ୍ଚଳର ଲୋକଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ପ୍ରାୟ ୫ କୋଟି ଟଙ୍କାର ହଳଦୀ ପ୍ରକଳ୍ପ ହେବାକୁ ଥିବା ବେଳେ ୧୦ କୋଟି ଟଙ୍କା ବ୍ୟୟରେ କୃଷି ଭିତ୍ତିକ ଶିଳ୍ପ ସ୍ଥାପନ କରାଯିବା ପଇଁ ମଧ୍ୟ ସମସ୍ତ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ହଳଦୀ ଚାଷ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇ ଆଗାମୀ ଦିନରେ ସ୍ଵତନ୍ତ୍ର ହାଇବ୍ରିଡ୍ ହଳଦୀ ମଞ୍ଜି ଦେବା ସହ ସମସ୍ତ ଚାଷୀଙ୍କୁ ସେତୁ ଯୋଜନାରେ ତାଲିମ ଦିଆଯିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କନ୍ଧମାଳ ଅପେକ୍ଷା ମାଲକାନଗିରି ଜିଲ୍ଲାର ଏହି ହଳଦୀ ଆହୁରି ଉନ୍ନତମାନର ହୋଇଥିବାରୁ ସ୍ଵତନ୍ତ୍ର ପ୍ୟାକିଙ୍ଗ ୟୁନିଟ୍ ସହ ଜଳସେଚନ ଓ ଅତ୍ୟାଧୁନିକ ପ୍ରଣାଳୀରେ ଚାଷ କାର୍ଯ୍ୟ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବା ଦିଗରେ ସରକାର ପଦକ୍ଷେପ ନେଉଥିବା ବେଳେ ଆଗାମୀ ଦିନରେ ଏହି ହଳଦୀ ବିଶ୍ଵ ଦରବାରରେ ସ୍ଥାନ ପାଇବ ବୋଲି ଆଶା ବାନ୍ଧିଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ। ବର୍ତ୍ତମାନ ଅନେକ ମହିଳା ଏହି ହଳଦୀ ଚାଷ କରୁଥିବା ବେଳେ କିଛି ମହିଳା ଏହାକୁ ବିଭିନ୍ନ ବଜାରରେ ବିକ୍ରୟ କରି ବେଶ ଦୁଇପଇସା ରୋଜଗାର କରୁଛନ୍ତି।
ଏହି କ୍ରମରେ ଚିତ୍ରକୋଣ୍ଡା ବ୍ଲକର ମା ତାରିଣୀ ଏସଏଚଜି ର ସଦସ୍ୟା ମାନେ ଜୈବିକ ହଳଦୀକୁ ପ୍ରକ୍ରିୟାକରଣ କରି ହଳଦୀ ପାଉଡରକୁ ସୁନ୍ଦର ରୂପେ ପ୍ୟାକେଜିଂ କରିବା ସହ ଜିଲ୍ଲା ପ୍ରଶାସନର ସହଯୋଗରେ ସ୍ଵାଭିମାନ ଅଞ୍ଚଳରେ ଥିବା ବିଭିନ୍ନ ବିଏସଏଫ କ୍ୟାମ୍ପକୁ ବିକ୍ରୟ କରି ମହିଳାମାନେ ଆର୍ଥିକ ଲାଭ ପାଇବା ସହ ଆଗାମୀ ଦିନରେ ଆହୁରି ଅଧିକ ପରିଶ୍ରମ କରି ହଳଦୀ ଗୁଣ୍ଡ ପ୍ରସ୍ତୁତ କରି ବିଭିନ୍ନ ବଜାରରେ ବିକ୍ରି ନିମନ୍ତେ ପ୍ରେରଣା ପାଇଛନ୍ତି। ଅଞ୍ଚଳରେ ହଳଦୀ ଚାଷ ମଧ୍ୟ ଲୋକଙ୍କ ପାଇଁ ବେଶ ଲାଭଦାୟକ ହୋଇଥିବାରୁ ବଡପଡ଼ା, ଯାନବାଇ, ରାଲେଗଡ଼ା, ସାରକୁବନ୍ଦ ଭଳି ଅନେକ ଗ୍ରାମରେ ଲୋକେ ବର୍ତ୍ତମାନ ଗଞ୍ଜେଇ ଚାଷରୁ ମୁହଁ ଫେରାଇ ନେଇଥିବା ବେଳେ ହଳଦୀ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ମଧ୍ୟ ଚାଷ କରୁଛନ୍ତି।