ଭୁବନେଶ୍ୱର, ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କୁ କାଉଂଟର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ସେ ଚାହିଁଥିଲେ ମୋତେ ଫୋନ କରି ସ୍ୱାସ୍ଥ୍ୟ କଥା ବୁଝିପାରିଥାନ୍ତେ । ମୋର ସ୍ୱାସ୍ଥ୍ୟ ପୂରାପୂରି ଠିକ୍ ଅଛି । ମୋର ସ୍ୱାସ୍ଥ୍ୟବସ୍ଥାକୁ ନେଇ ଗୁଜବ କରାଯାଉଛି । ସ୍ୱାସ୍ଥ୍ୟ ଭଲ ନଥିଲେ ଖରାରେ ପ୍ରଚାର କରିନଥାନ୍ତି । ଦିଲ୍ଲୀରେ ଜଣେ ବିଜେପି ନେତା ଗୁଜବ କରୁଛନ୍ତି । ଯାଂଚ ପାଇଁ ଯଦି କମିଟି ଗଠନ କରୁଛନ୍ତି ତେବେ ଗୁଜବକାରୀଙ୍କ ତଦନ୍ତ କର । ମୋ ସ୍ୱାସ୍ଥ୍ୟ କଥା ଛାଡ଼ି ଓଡ଼ିଶାର ଦାବି ପୂରଣ କରନ୍ତୁ ପ୍ରଧାନମନ୍ତ୍ରୀ । ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଓ କୋଇଲା ରୟାଲଟି ମିଳୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ ଯେ ବୁଧବାର ଦିନ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ସମୟରେ କହିଛନ୍ତି ଯେ ବର୍ଷକ ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେବା ପଛରେ ଷଡଯନ୍ତ୍ର ଥାଇପାରେ । ନବୀନଙ୍କ ଅଚାନକ ସ୍ୱାସ୍ଥ୍ୟ ଖରାପର ଯାଂଚ ହେବ । ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି । ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ । ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା, ଯାଂଚ କରାଯାଇ ସବୁ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ ।