
ଖୋର୍ଦ୍ଧା,ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି। ତେବେ ଅସୁସ୍ଥତା ପାଇଁ ଭୋର ୪ଟାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥତା ହେତୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇଥିବା ନେଇ ପ୍ରଶାନ୍ତ ଜଗଦେବଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କୁ ମେଡିସିନ୍ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।ତାଙ୍କର ସ୍ପାଇନାଲ କର୍ଡ ସହିତ ମଧୁମେହ ଭଳି ଅନେକ ସମସ୍ୟା ଅଛି ବୋଲି ବିଧାୟକଙ୍କ ଓକିଲ କୋର୍ଟରେ ଅପିଲ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲରେ ପ୍ରଶାନ୍ତ ଜଗଦେବଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ପ୍ରକାଶ ଥାଉକି, ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିଲା ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।ସେହିପରି ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ଖୋର୍ଦ୍ଧା ପୁଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ବିଜେପି ନେତା ଅଭିଯୋଗ ଆଣିଛନ୍ତି। ଏପରିକି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଗତକାଲି ସିସିଟିଭି ଫୁଟେଜ୍ ଆଧାରରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗି ନଥିବା ଦର୍ଶାଇଛନ୍ତି।