
ହରିଚନ୍ଦନପୁର-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ରେଞ୍ଜ ଅଧିନସ୍ଥ ବ୍ରାହ୍ମଣୀପାଳ ବନପାଳ କାର୍ଯ୍ୟରତ ସମୟରେ କିଛି ମାଫିଆଙ୍କ ସହ ମଦ ପିଉଥିବାର ଫଟୋଚିତ୍ର ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି । ଫେସବୁକରେ ବନପାଳଙ୍କ ଏହିଭଳି ଅବସ୍ଥାର ଫଟୋଚିତ୍ର ଭାଇରାଲ ହେବା ପରେ ଜନସାଧାରଣଙ୍କ ମଧ୍ୟରେ କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫେସବୁକ ଉପଭୋକ୍ତା ବିଭିନ୍ନ ଖରାପ ଭାବନାର କମେଂଟ ଦେବା ପରେ ଅପଲୋଡ଼ ଫଟୋଚିତ୍ରକୁ ଡିଲିଟ୍ କରାଯାଇଛି । ଫଳରେ ଏଅଞ୍ଚଳରେ ଅପଲୋଡ଼ କରିଥିବା ବ୍ୟକ୍ତିଙ୍କ ବିଭିନ୍ନ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଫଟୋ ଭାଇରାଲକୁ ନେଇ ଉକ୍ତ ବନପାଳ ଭୀମସେନ ଦେହୁରୀ ଦୀର୍ଘଦିନ ହେବ ସେଠାରେ କାର୍ଯ୍ୟରତ ସମୟରେ ଅନେକ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ହେଉଛି । କାର୍ଯ୍ୟରତ ବନପାଳଙ୍କ ଅଧିନରେ ହୋଇଥିବା ବୃକ୍ଷ ରୋପଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ରହିଛି । ମାଫିଆଙ୍କ ସହ ଏତେ ଖୁସିରେ ମଦ୍ୟପାନ କରିବାର ମୁଖ୍ୟ ଉଦେଶ୍ୟ କ”ଣ ହୋଇପାରେ ତାହା ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି ? ଏଥିପ୍ରତି ଆନନ୍ଦପୁର ଡିଭିଜନ ବନ ଅଧିକାରୀ ଦୃଷ୍ଟି ଦେଇ ସଠିକ୍ ତଦନ୍ତ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏଅଞ୍ଚଳରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ତଥ୍ୟ ଲୋକଲୋଚନାକୁ ଆସିବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣା ସମ୍ବନ୍ଧରେ ଉଚିତ୍ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଏଠାକାର ବୁଦ୍ଧିଜୀବି ତଥା ଶିକ୍ଷାବିତ୍ ମହଲରେ ଦାବି ହୋଇଛି ।