
ଭୁବନେଶ୍ୱର, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଏନ୍ଏସ୍ଏସ୍ ଓ ଭାରତୀୟ ରେଡ୍?କ୍ରସ ସୋସାଇଟି ଦ୍ୱାରା ସଡ଼କ ସୁରକ୍ଷା ଓ ଦୁର୍ଘଟଣାଜନିତ ପ୍ରାଥମିକ ଉପଚାର ଉପରେ ଦୁଇଦିନିଆ ଦକ୍ଷତା ବିକାଶ କର୍ମଶାଳା ରେଡ୍କ୍ରସ ଭବନ ଠାରେ ଆରମ୍ଭ ହୋଇଛି । ଏହି କର୍ମଶାଳାରେ ରାଜ୍ୟର ସମସ୍ତ କଲେଜରୁ ପ୍ରାୟ ୧୨୦ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ପ୍ରଶିକ୍ଷଣରେ ଯୋଗଦେଇଛନ୍ତି । ପ୍ରଶିକ୍ଷଣରେ ମୁଖ୍ୟ ଅତିଥି ରେଡକ୍ରସ ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକ, ଯୁବ ଏନ୍ଏସ୍ଏସ୍ ଅଧିକାରୀ ଅଜିତ କୁଶବାହା, ରାଜ୍ୟ ଏନ୍ଏସ୍ଏସ୍ ଅଫିସର ତଥା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା, ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଅଧିକାରୀବୃନ୍ଦ ଓ ଅଭିଜ୍ଞ ପ୍ରଶିକ୍ଷକମାନେ ଯୋଗଦେଇଥିଲେ ।
ପ୍ରଶିକ୍ଷଣରେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ଅଧିକରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇବା ନିମନ୍ତେ ପ୍ରଚେଷ୍ଟା କରିବାକୁ ଉତ୍ସାହିତ କରିଥିଲେ । ଗୋଟିଏ ଜୀବନ ବଂଚାଇବା ଠାରୁ ବଡ଼ ଉପଲବ୍ଧି ଜୀବନରେ ଆଉ କିଛି ନୁହେଁ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ଆମ ଦେଶରେ ସମୁଦାୟ ମୃତ୍ୟୁର ୧୦ ପ୍ରତିଶତ ମୃତ୍ୟୁ କେବଳ ସଡ଼କ ଦୁର୍ଘଟଣାଜନିତ ହୋଇଥାଏ ଏବଂ ଏହି ସଂଖ୍ୟାକୁ ଆମ ଯୁବପିଢି ଚାହିଁଲେ କମେଇ ପାରିବେ ବୋଲି ଯୁବ ଏନ୍ଏସ୍ଏସ୍ ଅଧିକାରୀ ଅଜିତ କୁଶବାହା ପ୍ରଶିକ୍ଷଣରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ କହିଥିଲେ ।
ପ୍ରଶିକ୍ଷଣରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ସଡ଼କ ସୁରକ୍ଷା ଓ ରାସ୍ତାରେ ଯାତାୟତଜନିତ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । କୌଣସି ଆହତ ବା ହଠାତ ଅସୁସ୍ଥ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖରେ ପହଂଚାଇବା ପର୍ଯ୍ୟନ୍ତ ଯେଉଁ ଉପଚାର ବା ସହାୟତା ଆବଶ୍ୟକ ଯଥା କୃତ୍ରିମ ଶ୍ୱାସକ୍ରିୟା (ସିପିଆର) ଦେବା, ଶ୍ୱାସନଳୀରେ ଖାଦ୍ୟପଦାର୍ଥ ଅଟକି ଗଲେ କଣ କରିବାକୁ ହେବ, କ୍ଷତ ସ୍ଥାନରୁ ରକ୍ତସ୍ରାବ ବନ୍ଦ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ, ଶରୀରର କୌଣସି ସ୍ଥାନ ପୋଡ଼ି ଯାଇଥିଲେ ପରବର୍ତୀ ପଦକ୍ଷେପ କ’ଣ ରହିବ, ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଶୁ ଚିକିତ୍ସା ଯୋଗାଇଦେବା, ସାପକାମୁଡାର ଚିକିତ୍ସା ଭଳି ବିଷୟରେ ଦୁଇଦିନ ଧରି ବିସ୍ତୃତ ପ୍ରଶିକ୍ଷଣ ଦିଆଯିବ । ଲୋକଙ୍କ ସେବା କରିବାର ଅବସର ଏନ୍ଏସ୍ଏସ୍ ଆପଣମାନଙ୍କୁ ପ୍ରଦାନ କରୁଛି ତା’ର ସଦୁପଯୋଗ କର;ୁ ବୋଲି ରାଜ୍ୟ ଏନ୍ଏସଏସ ଅଫିସର ଶ୍ରୀ ରମେଶ ଚନ୍ଦ୍ର ବେହେରା କହିଥିଲେ ।