ପୁରୀ– ଜୁନ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଅନୁଷ୍ଠିତ ହେବ । ସକାଳ ୭ଟା ଠାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ରେ ମତଦାନ କରିପାରିବେ । ଦୁଇଟି ଯାକ ନିର୍ବାଚନ ମଣ୍ଡଳୀ ପାଇଁ ମୋଟ୍ ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ କରାଯିବ । ଏଥିରେ କାକଟପୁରର ୨୮୦ଟି ଓ ନିମାପଡାର ୨୮୦ଟି ବୁଥ ରହିଛି । ଏଥି ମଧ୍ୟରୁ ମୋଟ୍ ୯୮ଟି ବୁଥ କୁ ମଡେଲ ବା ଆଦର୍ଶ ବୁଥ୍ କରାଯାଇଛି । ସେଥି ମଧ୍ୟରୁ ୭୬ ବୁଥ ରେ କେବଳ ମହିଳା ମାନଙ୍କ ଦ୍ଵାରା ପରିଚାଳିତ ସଖି ବୁଥ ହୋଇଥିବା ବେଳେ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ଵାରା ୪ଟି, ଯୁବ ପୁଲିଂ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ୫ଟି, ପରିବେଶ ଉପଯୋଗୀ ବା ଇକୋ ଫ୍ରେଣ୍ଡଲି ୮ ଓ ଥିମ ବେଶ ୫ଟି ବୁଥ୍ ରହିଛି । କାକଟପୁର ଓ ନିମାପଡାରେ ୩୮ଟି ଲେଖାଏଁ ସଖି ବୁଥ, ୨ଟି ଲେଖାଏଁ ଭିନ୍ନକ୍ଷମ ପୁଲିଂ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ବୁଥ, କାକଟପୁରରେ ୪ଟି ଯୁବ ପୁଲିଂ ପରିଚାଳିତ ବୁଥ, ୨ଟି ଇକୋ ଫ୍ରେଣ୍ଡଲି ବୁଥ ଓ ୩ଟି ଥିମ ବେଶ ବୁଥ ହୋଇଥିବା ବେଳେ ନିମାପଡାରେ ଯୁବ ପୁଲିଂ ଅଫିସର ମାନଙ୍କ ଦ୍ଵାରା ପରିଚାଳିତ ଗୋଟିଏ, ଇକୋ ଫ୍ରେଣ୍ଡଲି ୬ଟି ଓ ଥିମ ବେସ୍ ୨ଟି ବୁଥ୍ ର ବ୍ୟବସ୍ଥା ହୋଇଛି ।
ପୂର୍ବରୁ ସୁଇପ ବା ସିଷ୍ଟୋମେଟିକ ଭୋଟରସ ଏଡୁକେସନ ଆଣ୍ଡ ଇଲେକ୍ଟରସ ପାର୍ଟିସିପେସନ ପ୍ରୋଗ୍ରାମ ମାଧ୍ୟମରେ ଭୋଟର ମାନଙ୍କୁ ବ୍ୟାପକ ସଚେତନତା କରାଯାଇ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରି ନିଶ୍ଚିତ ମତଦାନ କରିବାକୁ ଅନୁରୋଧ କରାଯାଇଥିଲା । ଜୁନ୍ ୧ ତାରିଖରେ କାକଟପୁର ଓ ନିମାପଡା ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଥିବାରୁ ପ୍ରତ୍ୟେକ ଭୋଟର ନିଶ୍ଚିତ ମତଦାନ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) କୈଳାସ ଚନ୍ଦ୍ର ନାୟକ ଓ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତ ଭୋଟର ମାନଙ୍କୁ ଅନୁରୋଧ କରିଛନ୍ତି ।