ଧର୍ମଶାଳା, ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟାୟ ପାଇଁ ଜୁନ ୧ ତାରିଖରେ ଭୋଟ ଗ୍ରହଣ ହେବ । ସମୟ ସରି ଆସୁଥିବାରୁ ନେତା ପ୍ରଚାର ଜୋରଦାର କରୁଛନ୍ତି । ଦଳ ପାଇଁ ଭୋଟ ବ୍ୟବଧାନ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିଛି । ଦଳ ପାଇଁ ଏବେ ବଳ ଗୋଟାଇବାରେ ଲାଗିଛନ୍ତି କେନ୍ଦ୍ରୀୟ ମନ୍ତ୍ରୀ । ଏହି କ୍ରମରେ ଯାଜପୁର ଜିଲା ଧର୍ମଶାଳା ବିଜେପିର ବିଜୟ ସଙ୍କଳ୍ପ ସମାବେଶ ଅନୁଷ୍ଠିତ ହୋଇଛି । ଜାରକା ସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ଆୟୋଜିତ ସଙ୍କଳ୍ପ ସମାବଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରରେ ଓ ଓଡିଶାରେ ବିଜେପି ସରକାର ଗଠନ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥର ବିଜେପିର ବିଜୟ ବାନାକୁ କେହି ଅଟକାଇ ପାରିବେ ନାହିଁ । ରାଜ୍ୟ ମୁଖ୍ୟମନ୍ତ୍ରୀ ଚଳାଇ ପାରୁ ନାହାନ୍ତି ତେଣୁ ସେ ତାମିଲନାଡୁରୁ ଜଣେ ଭଡାଟିଆକୁ ଆଣିଛନ୍ତି , ରାଜ୍ୟରେ ପାଣି ସମସ୍ୟାର ସମାଧାନ ହେଉନାହିଁ, ପାଇପରେ ପିଇବା ପାଣି ଆସୁ ନାହିଁ, ଜଳସେଚନ ସୁବିଧା ନାହିଁ । ଶୀତଳ ଭଣ୍ଡାର ନାହିଁ, ନିଯୁକ୍ତି ନାହିଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯୁବକମାନେ ଯାଉଛନ୍ତି, ଶିକ୍ଷକ ନାହାନ୍ତି, ଡାକ୍ତର ନାହାନ୍ତି, ନିଯୁକ୍ତିି ନାହିଁ, ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିବା ପରେ ନବୀନ ବାବୁ ଓଡିଶାର ଦାୟିତ୍ଵ ନେବାକୁ ପୁଣି ଚାହୁଁ ଛନ୍ତି । ସାରା ରାଜ୍ୟରେ ମୋଦି ଲହର ଚାଲିଛି । ତାହାକୁ କେହି ରୋକି ପାରିବେ ନାହିଁ । ଧର୍ମଶାଳାରେ ବିଜେପି ବିଜୟ ଅଟକିବ ନାହିଁ । ଧର୍ମଶାଳାରେ ଗେରୁଆ ରଙ୍ଗର କିଛି ନୀଳବର୍ଣ୍ଣ ଶୃଗାଳ ବୁଲୁଛନ୍ତି । ଅଳ୍ପ ମାସ ତଳେ ଦଳରେ ମିଶି ଷଡଯନ୍ତ୍ର କରିଛନ୍ତି । ସେମାନଙ୍କୁ ଚିହ୍ନି ରଖିବା ସହିତ ଆଗାମୀ ନିର୍ବାଚନରେ ଜବାବ ଦେବାକୁ ସେ ଆହ୍ଵାନ ଦେଇଥିଲେ ।
ଏହି ଅବସରରେ ଯାଜପୁର ଲୋକସଭା ପ୍ରାର୍ଥୀ ଡ. ରବିନ୍ଦ୍ର ନାରାୟଣ ବେହେରା ଓ ଧର୍ମଶାଳା ବିଧାୟକ ପ୍ରାର୍ଥୀନୀ ସ୍ମୃତିରେଖା ପହିଙ୍କୁ ବିପୁଳ ସଂଖ୍ୟାରେ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ ।
ଏହି ସମାବେଶରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଲେଜ ପଡିଆରେ ହେଲି ପ୍ୟାଡରେ ଆସି ଓହ୍ଲାଇ ଥିଲେ । ସେଠାରୁ ଦଳୀୟ କର୍ମୀମାନେ ମଂଚ ନିକଟକୁ ପାଚ୍ଛୋଟି ଆଣିଥିଲେ । ସେଠାରେ ପୁଷ୍ପଗୁ୍ଚ୍ଛ ଦେଇ କର୍ମୀମାନେ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।