ପଟ୍ଟାମୁଣ୍ଡାଇ, ପଟ୍ଟାମୁଣ୍ଡାଇ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରାପଡା ଜିଲ୍ଲାରେ ଏକ ଖ୍ୟାତି ସମ୍ପର୍ଣ୍ଣ ଓ ଗୌରବ ମଣ୍ଡିତ ବିଦ୍ୟାଳୟ ଅଟେ। ଏହି ବର୍ଷ ବିଦ୍ୟାଳୟର ଐତିହ୍ୟ ଓ ଗୌରବକୁ ସୁନାଝିଅ ଅର୍ପିତା ବଜାୟ ରଖିଛନ୍ତି। ତୁଳସୀ ଦୁଇ ପତ୍ରରୁ ବାସେ । ଅର୍ପିତା ଦିନେ ବଡହୋଇ ଭଲ ମଣିଷଟିଏ ହେବେ ବୋଲି ସ୍ପଷ୍ଟ ବାରିହୋଇ ପଡିଛି। ସୁନାଝିଅ ଅର୍ପିତା, ପିତା ଅଜୟ କୁମାର ସାମଲ ଓ ମାତା ଶିକ୍ଷୟିତ୍ରୀ ରଙ୍ଗଳତା ପାତ୍ରଙ୍କ ଝିଅ। ଘର ରାଜନଗର ବ୍ଲକ ଅନ୍ତର୍ଗତ କଣି ଗ୍ରାମରେ। ଗତ ରବିବାର ଦିନ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅର୍ପିତା ମୋଟ ୬୦୦ ନମ୍ବରରୁ ୫୪୦ ନମ୍ବର ରଖି ଏ-୧ ଗ୍ରେଡ ରଖି ବିଦ୍ୟାଳୟର ନାମକୁ ଉଚ୍ଚ କରିଛନ୍ତି। ସେ ବଡହେଲେ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ ବୋଲି ଆଶା ରଖିଛନ୍ତି। ସର୍ବ ମୋଟ ବିଦ୍ୟାଳୟରେ ୨୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ୯୮ ପ୍ରତିଶତ ପାସ ହାର ରେ ବିଦ୍ୟାଳୟର ସମସ୍ତ ପିଲା ପାସ କରିଛନ୍ତି।
ଏହି ଖୁସିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ସିଂ, ଶିକ୍ଷକ ସରୋଜ କୁମାର ସ୍ଵାଇଁ, ତାପସ କୁମାର ବେହେରା, ଅନିତା ଧଳ, ଅନିଲ କୁମାର ଦାସ ସର୍ବୋପରି ମଦନପୁର ୟୁ କେ ମହାବୀର ମହାବିଦ୍ୟାଳୟର ଗ୍ରନ୍ଥାଗରିକ ସୁଧୀର କୁମାର ବେହେରା ସୁଦୂର କଣି ଗ୍ରାମରେ ଉପସ୍ଥିତ ହୋଇ କୃତୀ ଛାତ୍ରୀ ଅର୍ପିତାଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଛ ଓ ଉତରୀୟ ଦେଇ ତାର ଭବିଷ୍ୟତ ଜୀବନର ସଫଳତା କାମନା କରିଥିଲେ।