ନୂଆଦିଲ୍ଲୀ,ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପାକିସ୍ତାନର ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ହୁସୈନଙ୍କୁ ଆଜି କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତରେ ହେଉଥିବା ନିର୍ବାଚନ ଆମ ଆଭ୍ୟନ୍ତରିଣ ମାମଲା ଅଟେ । ଆତଙ୍କବାଦର ସବୁଠୁ ବଡ ପ୍ରାୟୋଜକଙ୍କ ହସ୍ତକ୍ଷେପ ଭାରତ ବରଦାସ୍ତ କରିବ ନାହିଁ ।
ଫୱାଦ ହୁସୈନ ଲଗାତର ଭାରତୀୟ ନିର୍ବାଚନରେ ବିଜେପି ବିରୋଧୀ ପକ୍ଷକୁ ସମର୍ଥନ କରି ସୋସିଆଲ ମିଡିଆ ପୋଷ୍ଟ କରୁଛି । ଫୱାଦ ରାହୁଲ ଗାନ୍ଧିଙ୍କର ବି ପ୍ରଶଂସା କରିସାରିଛନ୍ତି ଏବଂ ଆଜି ସିଏ ଅରବିନ୍ଦ କେଜରିୱାଲଙ୍କର ବି ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କେଜରିୱାଲ ଆଜି ମତଦାନ ପରେ ସୋସିଆଲ ମିଡିଆରେ ଫଟୋ ସେୟାର କରି କହିଛନ୍ତି ଯେ, ପରିବାର ସହ ମତଦାନ କରିଛି । ଏହି ସୋସିଆଲ ମିଡିଆ ପୋଷ୍ଟରେ ଫୱାଦ ହୁସୈନ ରିଟ୍ୱିଟ କରି କହିଛନ୍ତି ଯେ, ଭାରତରେ ଚରମପନ୍ଥ ଓ ଘୃଣା ବିସ୍ତାର କରୁଥିବା ଲୋକଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ହରାଉ, ସେ ଏହାର କାମନା କରୁଛନ୍ତି ।
ଏହାର ଜବାବରେ ଅରବିନ୍ଦ କେଜରିୱାଲ କହିଛନ୍ତି ଯେ, ମୁଁ ଓ ଆମର ଦେଶବାସୀ ନିଜ ମାମଲାକୁ ସମ୍ଭାଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ସକ୍ଷମ ଅଟୁ । ଆପଣଙ୍କ ସମର୍ଥନର ଆବଶ୍ୟକତା ନାହିଁ । ଏହି ସମୟରେ ପାକିସ୍ତାନର ଅବସ୍ଥା ବହୁତ ଖରାପ । ଆପଣ ନିଜ ଦେଶ ସମ୍ଭାଳନ୍ତୁ, ନିର୍ବାଚନ ଆମର ଆଭ୍ୟନ୍ତରିଣ ମାମଲା ଅଟେ । ଆତଙ୍କବାଦୀ ସବୁଠୁ ବଡ ପ୍ରାୟୋଜକଙ୍କ ହସ୍ତକ୍ଷେପ ଭାରତ ବରଦାସ୍ତ କରିବ ନାହିଁ ।