ଭୁବନେଶ୍ୱର, ବିଜୁ ଜନତା ଦଳରେ ନୂଆ ନୂଆ ସାମିଲ ହୋଇଥିବା ନେତାମାନଙ୍କୁ ଏବେ ତାଙ୍କ ଦଳର ଗୁମାସ୍ତାଙ୍କ ପ୍ରତି ସମର୍ପଣ ଭାବର ପରୀକ୍ଷା ଦେବାକୁ ପଡୁଛି । ସେଥିପାଇଁ ସେମାନେ ପ୍ରତିଦିନ ବିଜେଡିର ମିଛକୁ ଘୋଷିବା ପାଇଁ ବାଧ୍ୟ ହେଉଛନ୍ତି । ଯେଉଁ ବିଜେଡି ପ୍ରାର୍ଥୀ ନିଜେ ଲୋକସଭା ନିର୍ବାଚନରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ବିପୁଳ ପରିମାଣର ଭୋଟରେ ହାରୁଛନ୍ତି, ସେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜୟକୁ ନେଇ ପ୍ରଶ୍ନ କରୁଥିବା ଦେଖି ନିଶ୍ଚିତଭାବରେ ସମ୍ବଲପୁର ସମେତ ସାରା ଓଡ଼ିଶାର ଲୋକ ହସୁଥିବେ । ବିଜୁ ଜନତା ଦଳରେ କିଏ ଭଲ କ୍ରୀତଦାସ ତାକୁ ନେଇ ଏକ ପ୍ରତିଯୋଗିତା ଚାଲିଛି । ସେହି କ୍ରୀତଦାସ ପ୍ରତିଯୋଗିତାରେ କିଛି ନୂଆ ବିଜେଡି ନେତା ଏବେ ପୁରୁଣା ବିଜେଡି ନେତାଙ୍କୁ ପଛରେ ପକାଇ ଦେବା ଭଳି ଲାଗୁଛି ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀତ୍ୱ ସମୟରେ କେବଳ ସମ୍ବଲପୁର ନୁହେଁ ବରଂ ସାରା ଓଡ଼ିଶା ଲାଭାନ୍ୱିତ ହୋଇଛି । ସାରା ଓଡ଼ିଶା ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ସମ୍ବଲପୁରରେ ଆଇଆଇଏମ୍ର ପ୍ରତିଷ୍ଠା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପାଇଁ ସମ୍ଭବ ହୋଇଛି । ଆଜି ସମ୍ବଲପୁରରେ ଆଇଆଇଏମ୍ର ଏକ ବିଶାଳ ଓ ଚିତାକର୍ଷକ ସ୍ଥାନୀୟ କ୍ୟାମ୍ପସ ଠିଆ ହୋଇଛି । ସେହିପରି କଳା ଓ ହସ୍ତଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ସମ୍ବଲପୁରଠାରେ ଏସ୍ଆଇଡିବିଆଇ ଦ୍ୱାରା ୧୦୦କୋଟି ଟଙ୍କାର ଏକ ବିଶେଷ ଇନ୍କ୍ୟୁବେଟର କେନ୍ଦ୍ର ସ୍ଥାପନ ହୋଇଛି । ସମ୍ବଲପୁରରେ ଦେଶର ପ୍ରଥମ ଅତ୍ୟାଧୁନିକ ସ୍କିଲ ଇଣ୍ଡିଆ ସେଂଟର ଉଦ୍ଘାଟିତ ହୋଇସାରିଛି । ୯୪୭କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଆଉଟ୍ର ରିଙ୍ଗ୍ ରୋଡ ନିର୍ମାଣ ହୋଇଛି । ସମ୍ବଲପୁର ଅଇଁଠାପାଲିଠାରେ ୩୭୪କୋଟି ଟଙ୍କା ବ୍ୟୟରେ ୬ଲେନ୍ ଫ୍ଲାଇଓଭର କାମ୍ ସ୍ୱୀକୃତ ହୋଇଛି । ଦେବଗଡ ଓ ସମ୍ବଲପୁରକୁ ମଧ୍ୟ ଓଡ଼ିଶାରୁ ଯାତାୟତକୁ ସୁଗମ କରିବା ପାଇଁ ୧୩୧୨କୋଟି ଟଙ୍କା ବ୍ୟୟରେ ୭୮କିମି ଲମ୍ବ ବିଞ୍ଜାବାହାଲ-ତିଳେଇବଣି ରାସ୍ତାକାମ ସମ୍ପୂର୍ଣ୍ଣ ହୋଇଛି । ସମ୍ବଲପୁର ରେଳଷ୍ଟେସନ ୩୪୮କୋଟି ଟଙ୍କା ବ୍ୟୟରେ ପୁନଃବିକାଶ କରାଯାଉଛି ।
ଯେଉଁ ମୁଖ୍ୟମନ୍ତ୍ରୀ ୨୫ବର୍ଷ ଶାସନରେ ରହିବା ପରେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଗୋଟିଏ ଶୀତଳ ଭଣ୍ଡାର ସ୍ଥାପନ କରିପାରିଲେ ନାହିଁ, ଗୋଟିଏ ଛୁଂଚି କାରଖାନା ହିଞ୍ଜିଳିରେ ସ୍ଥାପନା କରିପାରିଲେ ନାହିଁ, ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିର ଦାଦନ ଶ୍ରମିକ ସମସ୍ୟା ସମାଧାନ କରିପାରିଲେ ନାହିଁ, ସେହି ଦଳ ଅନ୍ୟକୁ ପ୍ରଶ୍ନ କରିବା ବାହାପିଆଙ୍କ ବାରବାଟୀ ଚାଷ ସହିତ ସମାନ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।