-
ଇଭିଏମ୍ ରେ ସିଲ ହେବ ୪୭୭ ପ୍ରାର୍ଥୀଙ୍କ ଭାଗ୍ୟ
ଭୁବନେଶ୍ୱର, ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି (ଶନିବାର) ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା: ୦୩-ସମ୍ବଲପୁର, ୦୪- କେଉଁଝର (ଏସ୍.ଟି.), ୦୯-ଢେଙ୍କାନାଳ, ୧୪-କଟକ, ୧୭-ପୁରୀ ଏବଂ ୧୮-ଭୁବନେଶ୍ୱର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ ।
ଏହି ପର୍ଯ୍ୟାୟରେ ସମ୍ବଲପୁର, କେଉଁଝର ,ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୯୪ ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି । ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀ ରହିଛନ୍ତି ।
ଛଅଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮,୨୯,୬୬୦ ପୁରୁଷ, ୪୬,୧୭,୬୦୨ ମହିଳା ଓ ୧୨୯୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୬ ରହିଛି । ଏମାନଙ୍କ ମଧ୍ୟରେ ୨,୩୭,୧୩୧ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୮,୪୫,୫୦୩ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୧୦,୫୧୫ଟି ମତଦାନ କେନ୍ଦ୍ର ଓ ୩୬ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୮୯୬ ଜଣ ମତାଦାତା ରହିଛନ୍ତି ।
ପ୍ରାୟ ୧୫୦୦ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ହେବ ଏବଂ ୩୦ଟି ସଂପୂର୍ଣ୍ଣ
ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦୦୦ଟି ଆଦର୍ଶ ମତଦାନ କେନ୍ଦ୍ର (ମଡ଼େଲ୍ ବୁଥ୍) ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।