
ଭୁବନେଶ୍ୱର, ଓଡ଼ିଶାରେ ଆସନ୍ତାକାଲି (ଶନିବାର) ଛଅଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଅଳ୍ପ କେତୋଟି ଅଂଚଳରୁ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତିର ସୂଚନା ମିଳୁଛି । ଭାରତ ନିର୍ବାଚନ ଆୟୋଗ ରାଜନୈତିକ ହିଂସା ଓ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ‘ଶୂନ୍ୟ ସହନଶୀଳତା ନୀତି’ ଅବଲମ୍ବନ କରି ଆସିଛନ୍ତି । ତେଣୁ ଏଭଳି ସମସ୍ତ ଅପ୍ରୀତିକର ପରିସ୍ଥିତିରୁ ଦୂରେଇ ରହି ଶାନ୍ତିଶୃଙ୍ଖଳା ବଜାୟ ରଖି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ରାଜନୈତିକ ଦଳ ଓ ରାଜ୍ୟର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଅବସରରେ ଶ୍ରୀ ଧଳ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ନେଇ ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି ଓ ଯେଉଁ ଛଅଟି ଲୋକସଭା ଓ ତାହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ମତଦାନ ପ୍ରକ୍ରିୟା ହେବାକୁ ଯାଉଛି ସେଠାରେ ୧୨୧ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିବା ସୂଚିତ କରିଛନ୍ତି ।
ସମ୍ବଲପୁର ପୋଲିସ୍ ଜିଲ୍ଲାରେ ୧୨ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଦେବଗଡ଼ରେ ୨ କମ୍ପାନୀ , ଅନୁଗୋଳରେ ୧୨କମ୍ପାନୀ , ଢେଙ୍କାନାଳ ରେ ୮ କମ୍ପାନୀ , ମୟୂରଭଞ୍ଜରେ ୨ କମ୍ପାନୀ , କେଉଁଝରରେ ୧୭ କମ୍ପାନୀ , କଟକ ଗ୍ରାମୀଣରେ ୧୧ କମ୍ପାନୀ , କଟକ ଅର୍ବାନ୍ ପୋଲିସ ଡିଷ୍ଟ୍ରିକ୍ଟ ରେ ୮ କମ୍ପାନୀ , ଭୁବନେଶ୍ୱର ଅର୍ବାନ୍ ପୋଲିସ ଡିଷ୍ଟ୍ରିକ୍ଟରେ ୧୩ କମ୍ପାନୀ , ଖୋର୍ଦ୍ଧାରେ୧୧ କମ୍ପାନୀ ,ପୁରୀରେ ୧୧ କମ୍ପାନୀ ଏବଂ ନୟାଗଡ଼ରେ ୧୪ କମ୍ପାନୀ ସିଏପିଏଫ୍ ମୁତୟନ ହୋଇଛନ୍ତି ।