
ମାଲକାନଗିରି, ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମାର ନୃସିଂହ ମନ୍ଦିର ପ୍ରାଙ୍ଗଣରେ ଠାକୁର ନୃସିଂହନାଥଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି । ଭାରତୀୟ ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ପର୍ବପର୍ବାଣୀ ଗୁଡିକ ପରିକଳ୍ପିତ। ପଲ୍ଲୀ ବହୁଳ ରାଜ୍ୟ ଓଡ଼ିଶାରେ ବାର ମାସରେ ପାଳିତ ହୋଇଥାଏ ତେର ପର୍ବ। ତନ୍ମଧ୍ୟରୁ ଭଗବାନ ବିଷ୍ଣୁଙ୍କୁ ନେଇ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ ନୃସିଂହ ଚତୁର୍ଦ୍ଦଶୀ ଅନ୍ୟତମ । ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଭଗବାନ ନୃସିଂହଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ। ମହା ନୃସିଂହ ହେଉଛନ୍ତି ଶକ୍ତିର ଦେବତା।
ପୌରାଣିକ ମାନ୍ୟତା ଅନୁଯାୟୀ, ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶ୍ରୀହରି ବିଷ୍ଣୁ ନୃସିଂହ ଅବତାରରେ ପ୍ରକଟ ହୋଇଥିଲେ। ଇତିହାସ ଆଜି ବି ସାକ୍ଷୀ ଅଛି ଧର୍ମର ରକ୍ଷା କରିବା ପାଇଁ ଓ ଅଧର୍ମର ବିନାଶ ପାଇଁ ପ୍ରଭୁ ଭିନ୍ନ ଭିନ୍ନ ରୂପରେ ସଦାସର୍ବଦା ଅବତାର ଧାରଣ କରି ନିଜ ଭକ୍ତମାନଙ୍କୁ ସଂକଟରୁ ରକ୍ଷା କରିଥାଆନ୍ତି। ଦଶ ଗୋଟି ମୁଖ୍ଯ ଅବତାର ମଧ୍ୟରୁ ଚତୁର୍ଥ ଅବତାରଟି ହେଉଛି ନୃସିଂହ ଅବତାର। ଗତକାଲି ଏହି ଚନ୍ଦନ ଯାତ୍ରା ଅବସରରେ କୁଡୁମୁଲୁଗୁମ୍ମା ନୃସିଂହ ମନ୍ଦିରର ପୂଜକ ମନୋଜ ମିଶ୍ର ଓ ରମେଶ ଚନ୍ଦ୍ର ରଥଙ୍କ ମିଳିତ ସହଯୋଗରେ ସକାଳୁ ମହାପ୍ରଭୁଙ୍କୁ ପଞ୍ଚାମୃତ ମହାସ୍ନାନ କରିସାରିବା ପରେ ଠାକୁରଙ୍କୁ ନୂଆ ଲୁଗା ଓ ମୂର୍ତ୍ତି ଅଳଙ୍କାର ଲାଗି ସୁସଜ୍ଜିତ କରିଥିଲେ । ଦିନ ଦ୍ବିପହରରେ ନୃସିଂହ ଠାକୁରଙ୍କ ପୂଜାର୍ଚ୍ଚନା ସହ ହୋମଯଜ୍ଞ ନୀତି କାର୍ଯ୍ୟ ଆରମ୍ଭ ହୋଇ, ସନ୍ଧ୍ୟା ବେଳକୁ ଧୂପ ନୀତି ବଢିବା ପରେ ମନ୍ଦିରର ଚାରି ଜଣ ସେବାୟତ, କାଳୁ ମହାରଣା, ଶିବାଜୀ ସ୍ଵାଇଁ, ଗୋବିନ୍ଦ ମହାରଣା ଓ ଶରତ ଭୂୟାଁ ପ୍ରମୁଖ ଠାକୁର ନୃସିଂହନାଥଙ୍କୁ ବିମାନ ଖଟୁଲୀରେ ବିଜେ କରାଇଥିଲେ । ମୁଖ୍ୟ ପୂଜକଙ୍କ ଦ୍ଵାରା ସେଠାରେ ଭୋଗ ବନ୍ଦାପନା ସରିବା ପରେ ଠାକୁର ଗ୍ରାମ ପରିକ୍ରମା ଉତ୍ସବରେ ବାହାରିଥିଲେ। ଏହି ସମୟରେ ସିରିପେଟା ଗ୍ରାମର ସଙ୍କିର୍ତ୍ତନ ଦଳ ଖୋଳ, ତାଳ ଓ ଶ°ଖ ବଜାଇ ଠାକୁରଙ୍କ ପରିକ୍ରମାରେ ସହଯୋଗ କରିଥିଲେ। ପରିକ୍ରମା ସରିବା ପରେ ଠାକୁରଙ୍କୁ ମନ୍ଦିର ଭିତର ଆସ୍ଥାନରେ ପୁନର୍ବାର ବିରାଜମାନ କରାଯାଇଥିଲା । ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ସମସ୍ତ ଭକ୍ତ ମାନେ ଅତି ଆନନ୍ଦର ସହ ଆନନ୍ଦବଜାରରେ ଅନ୍ନ ପ୍ରସାଦ ସେବନ କରିଥିଲେ।
ଏହି ଚନ୍ଦନ ଯାତ୍ରାକୁ କୁଡୁମୁଲୁଗୁମ୍ମା ଗ୍ରାମର ସନ୍ତୋଷ ମହାନ୍ତି, ଭଗବାନ ସାହୁ, କଣ୍ଟେଶ ମାଝୀ, ସାରଙ୍ଗଧର ରାଉତ, ଦୂର୍ଗା ପ୍ରସାଦ ବାରିକ, ଜଗବନ୍ଧୁ ବାରିକ, ସୁଶାନ୍ତ କୁମାର ରଥ, କାହ୍ନୁଚରଣ ସିଅ, ପ୍ରମୋଦ କୁମାର ସ୍ଵାଇଁ, ଜଗନ କୁମାର ହୋତା, ଲିକୁ ଦାସ, ବୁଲୁ ସୁଆର,ସନ୍ତୋଷ କୁମାର ସ୍ଵାଇଁ ଓ ଅଭିଷେକ ସାହୁ ପ୍ରମୁଖଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଯାଇଛି ।