
-
ବିଜେଡି ସରକାରଙ୍କ ଭଲ କାମ ଦେଖି ବିରୋଧୀଙ୍କ ନିଦ ହଜି ଗଲାଣି : ପାଣ୍ଡିଆନ
ଚମ୍ପୁଆ,କେନ୍ଦୁଝର ଜିଲ୍ଲା ଚମ୍ପୁଆ ସଦର ମହକୁମା ଠାରେ ଅନୁଷ୍ଠିତ ହୋଇଥିବା ବିଜେଡ଼ିର ଏକ ବିରାଟ ନିର୍ବାଚନୀ ସମାବେଶରେ ଯୋଗଦେଇ ଫାଇଭ-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଓଡିଶାରେ ପୁଣି ଥରେ ନବୀନ ସରକାର ଗଢିବା ପାଇଁ ଜନ ସାଧାରଣଙ୍କୁ ସମ୍ବୋଧିତ କରି କେନ୍ଦୁଝର ବିଜେଡି ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦୁ ଙ୍କ ସମେତ ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତେଇବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଆଉ ଯଦି କିଏ ସାଂସଦ ହୁଅନ୍ତି, ସେ ଅଧିକ ରାଜନୀତି କରି ଯାହା ବି କାମ ଚାଲିଛି ସବୁଥିରେ ମୁଣ୍ଡ ପୁରାଇବେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପି ଦଳ ବିରୋଧ କରି ହାଇକୋର୍ଟ, ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା, କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସେମାନେ ବିଫଳ ହେଲେ ଏବଂ ଆମ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସଫଳ ହେଲେ। ସେହିପରି ଅନ୍ୟ ରାଜ୍ୟମାନେ ଟ୍ରାଇବାଲ ବଜେଟ କମାଇ କମାଇ ଚାଲିଛନ୍ତି, କିନ୍ତୁ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଟ୍ରାଇବାଲ ବଜେଟକୁ ସବୁବେଳେ ବଢ଼ାଇ ବଢ଼ାଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ଜନଜାତି ଭାଇଭଉଣୀ ମାନଙ୍କୁ ତାଙ୍କ ହୃଦୟର ସବୁଠାରୁ ଭଲ ସ୍ଥାନରେ ସମ୍ମାନର ସହ ରଖିଛନ୍ତି। ସେମାନଙ୍କ କଳା, ସଂସ୍କୃତି ଓ ପୂଜାସ୍ଥଳୀର ବିକାଶ ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଅନ୍ୟ କୌଣସି ରାଜ୍ୟ ଏଭଳି କି ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଏହା କରିନାହାନ୍ତି। ଲକ୍ଷ ଲକ୍ଷ ଜନଜାତି ସମ୍ପ୍ରଦାୟର ଝିଅମାନଙ୍କ ପାଠପଢ଼ାରେ ସୁବିଧା ପାଇଁ ହଷ୍ଟେଲ ଖୋଲିଛନ୍ତି। ଜଙ୍ଗଲ ଉପରେ ନିର୍ଭରଶୀଳ ଜନଜାତି ସମ୍ପ୍ରଦାୟଙ୍କ ଜଙ୍ଗଲଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ କିଣିବା ପାଇଁ ଲାଭ ଦାୟକ ଯୋଜନା ଆରମ୍ଭ କରିଛନ୍ତି। ଜନଜାତି ସମ୍ପ୍ରଦାୟଙ୍କ ଉପରୁ ୫୦ ହଜାର ଛୋଟ, ବଡ଼ ପୋଲିସ୍ କେଶ ରଦ୍ଦ କରିଥିବା ପ୍ରକାଶ କରିଛନ୍ତି ପାଣ୍ଡିଆନ। ସେ ପୁଣି କହିଛନ୍ତି ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍ ଛାଡ଼୍ ହେବ ଓ ଦ୍ଵିତୀୟ ଦସ୍ତଖତରେ ବି.ଏସ୍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟା ମାନଙ୍କୁ ୬୦ ବର୍ଷ ପରେ ପେନସନ୍ ବ୍ୟବସ୍ଥାରେ ସାମିଲ କରାଯିବ। ମିଶନଶକ୍ତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଶକ୍ତି। କୌଣସି ରାଜ୍ୟ ସରକାର ମା’ମାନଙ୍କ ଯିବାଆସିବା ଭଡ଼ା ୫ ଟଙ୍କା କରିନାହାନ୍ତି, ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ୫ ଟଙ୍କାରେ ଏହି ସୁବିଧା ଯୋଗାଇ ଦେଉଛନ୍ତି ବୋଲି କହିଥିଲେ। ସେ ପୁଣି କେନ୍ଦୁଝରରେ ମେଡିକାଲ କଲେଜ, ଯୋଡ଼ା ଫ୍ଲାଇଓଭର ସହିତ ୧୨ ହଜାର ୬୦ କୋଟି ଟଙ୍କା ବିନିଯୋଗରେ ଘରେ ଘରେ ପିଇବା ପାଣି ସୁବିଧା କରାଯାଇଛି। ବିଜେଡି ସରକାରଙ୍କ ଏ ସବୁ ଭଲ କାମ ଦେଖି ବିରୋଧି ଦଳଙ୍କ ନିଦ ହଜି ଗଲାଣି, ଏବେ ଲାଗିଛନ୍ତି ମିଛ କଥା କହି ଅପପ୍ରଚାର କରିବା ପାଇଁ। ଶେଷରେ ବିଜେଡି ପ୍ରାର୍ଥୀଙ୍କୁ ୫୦ ହଜାର ଭୋଟ ବ୍ୟବଧାନରେ ଜିତାଇବା ପାଇଁ ସେ ଜନସାଧାରଣଙ୍କୁ ଆହ୍ଵାନ ଦେଇଥିଲେ।