ବଲାଣି, ରାଷ୍ଟ୍ରାୟତ ଉଦ୍ୟୋଗ ଭାରତୀୟ ଇସ୍ପାତ ପ୍ରାଧିକରଣ(ସେଲ୍) ଅନ୍ତର୍ଗତ ରାଉରକେଲା ଇସ୍ପାତ କାରଖାନା ଅଧିନସ୍ଥ ଓଡିଶା ଖଣି ସମୂହର ସବୁଠାରୁ ବଡ଼ ଖଣି ଭାବରେ ପରିଗଣିତ ବଲାଣି ଖଣିରେ ଶ୍ରମିକ ଅଶାନ୍ତି ଜାରି ରହିଛି । ବଲାଣି ଖଣି କତ୍ତୃପକ୍ଷ ଖଣିରେ କର୍ମଚାରୀଙ୍କ ଉପସ୍ଥାନ ନିମନ୍ତେ ବାୟୋମେଟ୍ରିକ ଉପସ୍ଥାନକୁ ଆଗାମୀ ଜୁନ ପହିଲା ଠାରୁ ଜୋର ଜବରଦସ୍ତ ଭାବରେ ଲାଗୁ କରିବାକୁ ଯୋଜନା କରୁଥିବା ବେଳେ କର୍ମଚାରୀ ମହଲରେ ଏହାକୁ ଘୋର ବିରୋଧ କରାଯାଇଆସୁଛି । ବଲାଣି ଖଣିରେ କାର୍ଯ୍ୟରତ ସମସ୍ତ ୭ଟି ଟ୍ରେଡ଼ ୟୁନିୟନ ସେଲ୍ କତ୍ତୃପକ୍ଷଙ୍କ ଏପରି ନିଷ୍ପତ୍ତିକୁ ମିଳିତ ଭାବରେ ବିରୋଧ କରି ଏହି ନିଷ୍ପତ୍ତି ବିରୋଧରେ ହାତକୁ ହାତ ମିଳାଇ ସଂଗଠିତ ହୋଇଛନ୍ତି । ଏ ନେଇ ମିଳିତ ଶ୍ରମିକ ସଂଘ ପକ୍ଷରୁ ମଙ୍ଗଳବାର ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟଙ୍କୁ ୪୦୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଶ୍ରମିକ ସଂଗଠନର ନେତାମାନେ କହିଛନ୍ତି ଯେ, ଏପରି ନିଷ୍ପତ୍ତିକୁ ସେଲ୍ ର ବିଭିନ୍ନ ଏକକରେ ଲାଗୁ କରାଯିବାକୁ ଜାତୀୟ ଇସ୍ପାତ ସଂଯୁକ୍ତ କମିଟି(ଏନଜେସିଏସ୍) ବିରୋଧ କରି ଆସୁଥିବା ସହିତ ବର୍ତ୍ତମାନ ସ୍ଥିତିରେ ଏହା ଜାତୀୟ ସ୍ତରରେ ବିଚାରଧୀନ ଅବସ୍ଥାରେ ରହିଛି । କୌଣସି ନୀତିଗତ ନିଷ୍ପତି ବିଚାରାଧୀନ ଅବସ୍ଥାରେ ରହିଥିବା ବେଳେ ବଲାଣି ଖଣିରେ ବାୟୋମେଟ୍ରିକକୁ ଜୋରଜବରଦସ୍ତ ଭାବରେ ଲାଗୁ କରିବାକୁ ମସୁଧା କରାଯାଉଛି । ଏହା ବ୍ୟତୀତ ସେଲ୍ ର ଅନ୍ୟାନ୍ୟ କାରଖାନା ଓ ଖଣିରେ ବାୟୋମେଟ୍ରିକ ଉପସ୍ଥାନ ବର୍ତ୍ତମାନ ସୁଦ୍ଧା ବ୍ୟବହାରକୁ ଆଣିବାକୁ ଯୋଜନା କରାଯାଇନଥିବା ସ୍ଥଳେ ଏଠାରେ ଏହାକୁ ଜୋର ଜବରଦସ୍ତ ଲାଗୁ କରାଯାଉଛି । ଏହାଦ୍ଵାରା କର୍ମଚାରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ କର୍ମଚାରୀଙ୍କ ବ୍ୟକ୍ତିଗତ ଗୋପନୀୟତା ଲୋପ ପାଇବାର ସମ୍ଭାବନା ରହିଛି । ତେଣୁ ଖଣି କତ୍ତୃପକ୍ଷଙ୍କ ଏପରି ନିଷ୍ପତିକୁ ସମସ୍ତ ଶ୍ରମିକ ସଙ୍ଗଠନ ସହ ସମସ୍ତ କର୍ମଚାରୀ ବିରୋଧ କରିଛନ୍ତି । ଯଦି ବଲାଣି ଖଣି କତ୍ତୃପକ୍ଷ ଆଗାମୀ ଜୁନ ୧ ତାରିଖରୁ ଏହାକୁ ଜୋର ଜବରଦସ୍ତ ଲାଗୁ କରିବେ ତେବେ ଖଣିରେ ଔଦ୍ୟୋଗିକ ଅନିଶ୍ଚିତତା ନିମନ୍ତେ ଖଣି କତ୍ତୃପକ୍ଷ ନିଜେ ଦାୟୀ ରହିବେ ବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି ।
ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ଏଆଇଟିୟୁସି, ବିଏମ ଏସ୍, ସିଆଇଟିୟୁ, ରିକ୍ସ୍,ଏଚ ଏମ୍ ଏସ୍, ଆଇ ଏନ ଟି ୟୁ ସି, ଜି ଏମ୍ ଏମ୍ ଆଦି ଶ୍ରମିକ ସଙ୍ଗଠନର ନେତୃବୃନ୍ଦଙ୍କ ସମେତ ଅନେକ କର୍ମଚାରୀ ଉପସ୍ଥିତ ଥିଲେ ।