
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ତହସିଲଦାର ଚୁପ୍, ବେଧଡ଼କ ଚାଲିଛି ରାଜସ୍ବ ଲୁଟ୍, ବୃଦ୍ଧି ହେଉଛି ଜନ ଅସନ୍ତୋଷ । ଖବର ମୁତାବକ, ସ୍ଥାନୀୟ ତହସିଲ ନିକଟସ୍ଥ ମୂଷଳ ନଦୀରୁ ବେଧଡ଼କ ଭାବେ ଜେସିବି ମେସିନ୍ ଲଗାଇ ଦିନରାତି ଚାଲିଛି କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ । ଏଠାରେ ଜନସାଧାରଣଙ୍କ ପ୍ରଶ୍ନ ଯେ, ଏଥିପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ ହେଉନାହିଁ ନା ସବୁ ଜାଣିଶୁଣି ବି ସାଜିଛନ୍ତି ନିରବଦ୍ରଷ୍ଟା । ସୂଚନା ଅନୁଯାୟୀ, ମୂଷଳ ନଦୀର ଗର୍ଭରେ ଭରପୁର ବାଲି ରହିଥିବା ସତ୍ତ୍ବେ ପ୍ରଶାସନ ନିଲାମ ଦେବାରେ ଅକ୍ଷମର ଫାଇଦା ଉଠାଇଲେ ମାଫିଆ । ଏପଟେ କୋଟି କୋଟି ଟଙ୍କାର ରାଜସ୍ଵ ହାନି ଘଟିଥିବା ବେଳେ ସେପଟେ ମାଫିଆ ମାଲେ ମାଲ୍ ତ ସରକାରୀ କର୍ମଚାରୀ ମାଲେ ମାଲ୍ ହୋଇଥିବା ହାଟ ବଜାରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘଦିନ ହେବ ପ୍ରଶାସନର ଜାଣତରେ କଲେଜ ପଛପାଖ ସାପୁଆ ଘାଟରୁ ପ୍ରତ୍ୟେକ ଦିନ ଓ ରାତିରେ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଛି । ଏନେଇ ପୂର୍ବରୁ ତହସିଲଦାରଙ୍କ ନିକଟରେ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ବେ ଆଜି ପର୍ଯ୍ୟନ୍ତ ନିଆଯାଇନାହିଁ କୌଣସି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ । ସାପୁଆ ଘାଟକୁ ସରକାରୀ ରାସ୍ତା ନଥିବା କାରଣରୁ ଉକ୍ତ ବାଲି ଘାଟର ଅନୁମତି ନଥିବା ବେଳେ ଅହରହ ମେସିନ୍ ଲଗାଇ ବାଲି ଉତ୍ତୋଳନ ହେଉଛି । ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ପ୍ରତ୍ୟେକ ଦିନ ଟ୍ରାକ୍ଟର, ମିନି ଟ୍ରକ୍, ଅଟୋ ରିକ୍ସା, ଡମ୍ଫର ଯୋଗ ଚୋରା ଚାଲାଣ ଚାଲିଛି । ଦିନ ରାତି ବେଧଡକ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତା ବାଲି ମାଫିଆଙ୍କୁ ଉତ୍ସାହିତ କରୁଛି । ଯାହାର ଫାଇଦା ନେଇ ଏ ଅଞ୍ଚଳର ବାଲି ମାଫିଆ ଉତ୍ତୋଳନ ବାଲିକୁ ଉଚ୍ଚ ଦରରେ ବିକ୍ରି କରି ମାଲେ ମାଲ୍ ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଘାଟରୁ ପ୍ରତ୍ୟେକ ଦିନ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ନଦୀ ଗର୍ଭରେ ଥିବା ଗଛିତ ବାଲି ସରିଗଲାଣି । ଗଛିତ ବାଲି ସରିବା କାରଣରୁ ମାଫିଆମାନେ ଲୋଭରେ କାର୍ଯ୍ୟ ବନ୍ଦ ନକରି ରାତିରେ ମେସିନ୍ ଲଗାଇ ନଦୀ ମଧ୍ୟରେ ଗଭୀର ଗାତ ଖୋଳି ବାଲି ମିଶ୍ରିତ ମାଟିକୁ ମଧ୍ୟ ଛାଡୁ ନାହାନ୍ତି । ଦିନ ବେଳେ ବେଧଡ଼କ ଭାବେ ବ୍ରଜମୋହନପୁର ଗ୍ରାମ ନିକଟସ୍ଥ ନଦୀରୁ ବାଲି ଉତ୍ତୋଳନ କରୁଥିବା ନଜିର ରହିଛି । ଏଥିସହ ରାତି ତମାମ୍ କଲେଜ ପଛ ପାଖରୁ ବିନା ଅନୁମତିରେ ବିଭିନ୍ନ ଲୋକଙ୍କ ପଟ୍ଟାଭୂକ୍ତ ଜମି ମଧ୍ୟ ଦେଇ ବେଆଇନ ଭାବେ ରାଜସ୍ବ ଲୁଟୁଥିବା ଅଭିଯୋଗ ରହିଛି । ପ୍ରଶାସନର ନିରବତାକୁ ନେଇ ଏଭଳି ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ କାରବାରରେ ଏ ଅଞ୍ଚଳର ମାଫିଆ ଗୋଷ୍ଠୀ ବେଶ୍ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ମୂଷଳ ନଦୀର ଗର୍ଭରୁ ବାଲି ସରିବା କାରଣରୁ ଆଗାମୀ ଦିନରେ ଏଠାକାର ସ୍ଥାନୀୟ ବାସିନ୍ଦା ନିଜନିଜ ଘର ମରାମତି ପାଇଁ ମଧ୍ୟ ବାହାରୁ ଅଧିକ ଦାମରେ ବାଲି କିଣିବାକୁ ପାଇଁ ବାଧ୍ୟ ହେବେ । ତେଣୁ ବେଳ ଥାଉଁ ଥାଉଁ ଏ ଅଞ୍ଚଳର ବୁଦ୍ଧିଜୀବି ତଥା ଜନସାଧାରଣ ଏନେଇ ଦୃଷ୍ଟି ଦେଲେ ଆଗାମୀ ଦିନର ବଡ଼ ଚିନ୍ତା ଦୂର ହୋଇପାରିବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ବେଆଇନ ବାଲି ଘାଟକୁ ସିଜ୍ କରିବା ସହ ଉତ୍ତୋଳନ ଓ ଚାଲାଣକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ ଏଅଞ୍ଚଳବାସୀ ଉପକୃତ ହୁଅନ୍ତେ ।