
ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀରେ ଏଥର ଭିନ୍ନ ପ୍ରକାର ରାଜନୀତି ଚାଲିଥିବା ଦେଖିବାକୁ ମିଳିଛି । ପ୍ରମୁଖ ୩ ଦଳର ବିଧାୟକ ପ୍ରାର୍ଥୀ ଗ୍ରାମାଞ୍ଚଳରୁ ଆରମ୍ଭ କରି ଛକ ବଜାର ଗୁଡିକରେ ନିଜ ନିଜର ପ୍ରଚାର ପ୍ରସାରକୁ ଗୁରୁତ୍ଵ ଦେଇ ଭୋଟ ହାତେଇବାକୁ ବସିଛନ୍ତି । ସେହିପରି ବିଜେଡି ଟିକେଟ୍ ଆଶାରେ ଦୀର୍ଘଦିନ ଅପେକ୍ଷା କରି ସଙ୍ଗଠନକୁ ସୃଦୃଢ଼ କରିଥିବା ଘନଶ୍ୟାମ ବାରି ନିଜ ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନରେ କଡ଼ା ଟକ୍କର ଦେଇଛନ୍ତି । ଶ୍ରୀ ବାରି ଟାଙ୍ଗିରିଆପାଳ ଗ୍ରାମପଞ୍ଚାୟତର ଚଳିତ ସରପଞ୍ଚ ଭାବେ କାର୍ଯ୍ୟରତ ରହିଥିବା ବେଳେ ବିଜେଡ଼ିର ଜଣେ ସ୍ବଚ୍ଛ ପ୍ରଚାରକ ଭାବେ ବେଶ ପରିଚିତ । ଏଥିସହ ହରିଚନ୍ଦନପୁର ପଞ୍ଚାୟତ ସମିତିର ସରପଞ୍ଚ ସଂଘର ସଭାପତି ଭାବରେ କାର୍ଯ୍ୟଭାର ନେଇ ବିଜେଡି ଦଳ ପାଇଁ ପ୍ରଚାର ପ୍ରସାରକୁ ଗୁରୁତ୍ବ ଦେଇ ବେଶ୍ ଲୋକପ୍ରିୟ ହୋଇଛନ୍ତି । ଘନଶ୍ୟାମଙ୍କୁ ବିଜେଡ଼ିରୁ ଟିକେଟ ନମିଳିବା ପରେ ନିରାଶ ହୋଇ ଶେଷରେ ସେ ରାଷ୍ଟ୍ରିୟ ମାନବ ଦଳରୁ ଟିକେଟ୍ ପାଇବା ପରେ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଚାର ପ୍ରସାରକୁ ଯୋର୍ ଦାର୍ କରିଛନ୍ତି ।
ଗତ ଶୁକ୍ରବାର ଦିନ ରାସୋଳ, ଟାଙ୍ଗିରିଆପାଳ, ଭଗାମୁଣ୍ଡା, ଧୋରଡିଆମ୍ବ, ହରିଚନ୍ଦନପୁର, ଠାକୁରପଡା, ସୁନାପେଣ୍ଠ, ରେବଣାପଳାଶପାଳ, ବରେଇଗୋଡା, ଦେଇ ଦୈତାରୀ ପଞ୍ଚାୟତ ପର୍ଯ୍ୟନ୍ତ ବିଶାଳ ବାଇକ୍ ରାଲିର ଆୟୋଜନ କରିଥିଲେ । ରାଲିରେ ଜନ ସମୁଦ୍ର ଦେଖି ବିଜେଡି ଦଳରେ ଥାଇ ମଧ୍ୟ ବାରିଙ୍କ ସମର୍ଥକ ଭାବେ କେତେକ କର୍ମୀ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଘଟଣାକୁ ଦେଖି ଏ ଅଞ୍ଚଳର ବୁଦ୍ଧିଜୀବୀ ଓ ଶିକ୍ଷାବିତ ମହଲରେ ବିଭିନ୍ନ ପ୍ରକାର ପ୍ରଶ୍ନ ସୃଷ୍ଟି ହେଇଛି ।