ଭୁବନେଶ୍ୱର, ଓଡ଼ିଶାର ଆଦିବାସୀ ସମାଜକୁ ମୋଦି ଯେଉଁ ଗୌରବ ଦେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କେହି ଦେଇନାହାନ୍ତି । ଅଟଳ ବିହାରୀ ଯେଭଳି ଜନଜାତିଙ୍କ ବିକାଶ ପାଇଁ ଚିନ୍ତା କଲେ ସେଭଳି ଓଡ଼ିଶାର ଜଣେ ଆଦିବାସୀ ଲୋକ ଜୁଏଲ ଓରାମଙ୍କୁ ପ୍ରଥମ କରି ଅନୁଦାନ ମନ୍ତ୍ରଣାଳୟର ମନ୍ତ୍ରୀ କଲେ । ଜୁଏଲ ଆଦିବାସୀଙ୍କ ବିକାଶ କରିବା ସହ ଆଦିବାସୀ ଭାଷାର ମାନ୍ୟତା କରାଇଥିଲେ । ସେହିଭଳି ବିଭିନ୍ନ ଯୋଜନାରେ ଆଦିବାସୀମାନଙ୍କ ଗତିକୁ ବଢ଼ାଇବା ପାଇଁ ମୋଦିଜୀ ବିଭିନ୍ନ ଯୋଜନା କରିଛନ୍ତି ବୋଲି ଏସ୍ଟି ମୋର୍ଚ୍ଚା ଜାତୀୟ ସାଧାରଣ ସମ୍ପାଦକ ତଥା କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଆଦିବାସୀ କଲ୍ୟାଣ ପାଇଁ ଗତ ୧୦ବର୍ଷରେ ମୋଦି ସରକାରରେ ପାଖାପାଖି ୩୭୦୦କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ଦିଆଯାଇଛି । ବିଜେଡି ସର୍ବଦା କହୁଛି ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନା କରିଛି ତାହା ସମ୍ପୂର୍ଣ୍ଣ ମିଛ । କେନ୍ଦ୍ରୀୟ ଅନୁଦାନରେ ରାଜ୍ୟ ସରକାର ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଆଦିବାସୀ କଲ୍ୟାଣ ପାଇଁ କେନ୍ଦ୍ରୀୟ ପାଣ୍ଠି ଅନୁସାରେ ଏଯାବତ୍ ୧,୦୭୫ କୋଟି ଦିଆଯାଇଛି । ଓଡ଼ିଶାର ୪ଟି ବିଶେଷ ରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି)ପାଉଡି ଭୂଆଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡା ଓ ମାଙ୍କଡିଆଙ୍କ ସହ ୧୫ଟି ଜନଜାତି ସମୁଦାୟରେ ୫୩ଟି ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜାତି ତାଲିକାରେ ସାମିଲ କରାଯାଇଛି ।
ଆଦିବାସୀମାନଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଜେଡି ସର୍ବଦା ଚେଷ୍ଟା କରୁଛି । ପ୍ରଧାନମନ୍ତ୍ରୀଙ୍କ ପିଭିଟିଜି ମିଶନ ଯୋଜନାରେ ଓଡ଼ିଶାର ପ୍ରାୟ ୧୩ଟି ଆଦିବାସୀ ସମୁଦାୟ ଲାଭାନ୍ୱିତ ହେଉଛନ୍ତି । ଓଡ଼ିଶାକୁ ଏଯାବତ୍ ୧୪୬.୩୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ୧୬୮୩ ଆଦିବାସୀ ଗାଁରେ ବସବାସ କରୁଥିବା ୨ଲକ୍ଷ ୯୬ହଜାର ଆଦିବାସୀ ଭାଇମାନଙ୍କ ପାଇଁ ଏହି ଯୋଜନା ଲାଭାନ୍ୱିତ ହେବ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନାରେ ଓଡିଶାରେ ମୋଟ ୧୧୪ସ୍କୁଲ ଖୋଲିବାର ଯୋଜନା ଅଛି, ତନ୍ମଧ୍ୟରୁ ମୋଟ ୧୦୬ ସ୍କୁଲକୁ ସ୍ୱୀକୃତି ଦିଆଯାଇ ସାରିଛି । ଏହି ସ୍କୁଲରେ ଏବେ ପ୍ରାୟ ୧୦ହଜାର ଜଣ ପିଲା ପଢ଼ୁଥିବା ବେଳେ ଏହାର ନିର୍ମାଣ ଓ ପରିଚାଳନା ନିମନ୍ତେ ଗତ ୩ ବର୍ଷରେ ୪୪୯କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଭାରତ ସରକାର ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରି ମାଟ୍ରିକ, ପୋଷ୍ଟ ମାଟ୍ରିକ, ନ୍ୟାସନାଲ ଫେଲୋସିପ୍, ଟପ୍ କ୍ଲାସ ସ୍କଲାରସିପ୍, ନ୍ୟାସନାଲ ଓଭରସିଜ୍ ସ୍କଲାରସିପ୍ ପାଂଚୋଟି ବୃତି ଯୋଜନା ଚଳାଉଛନ୍ତି । ଏହି ଯୋଜନାରେ ଓଡ଼ିଶାକୁ ଏଯାବତ୍ ମୋଟ ୧୬୭୮.୪୬କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ଆଦିବାସୀ ଭାଷାର ଶିକ୍ଷାଦାନ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର କୁଇ, ଦେଶିଆ, ଗଡବା, ଜୁଆଙ୍ଗ, କିସାନ, ସାନ୍ତାଳୀ ଓ ସଉରୀ ଭାଷାରେ ବର୍ଣ୍ଣବୋଧ ତିଆରି କରି ଶିକ୍ଷାଦାନ କରାଯାଉଛି । ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ବିକଶିତ କରାଯାଇଛି । ସେହିପରି ଓଡିଶାର ଆଦିବାସୀମାନଙ୍କୁ ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟର ଅର୍ଥ ସଠିକ୍ ଦେଉନାହାନ୍ତି, କିନ୍ତୁ ମୋଦି ଚିନ୍ତା କରି ସହାୟତା ମୂଲ୍ୟ ୫୦କୋଟି ଟଙ୍କା ଦେଇଛନ୍ତି, ୮କୋଟିରୁ ଅଧିକ ଟଙ୍କା ଅନୁଦାନ ଦିଆଯାଇଛି । ଆଦିବାସୀ କଲ୍ୟାଣ ପାଇଁ ସାମାଜିକ ସଂସ୍ଥାକୁ ୩୦ଟି ସାମାଜିକ ସଂସ୍ଥା ରହିଛି , ସେଥିରୁ ୮୭କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ନବୀନ ବାବୁ ୨୪ବର୍ଷ ଶାସନ କରିବା ପରେ ମଧ୍ୟ ଆଦିବାସୀଙ୍କୁ ସ୍ୱଚ୍ଛ ପାଣି ମୁନ୍ଦାଏ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଆଦିବାସୀଙ୍କୁ ଆଗକୁ ଆଣିବାର ଶତପ୍ରତିଶତ ଚେଷ୍ଟା କରିଛି ବିଜେପି ସରକାର ।
କଳାହାଣ୍ଡି, କୋରାପୁଟ, କାଶୀପୁର ଯଥା ରାୟଗଡାର ୨ଶହଟି ଆଦିବାସୀ ଗାଁକୁ ଆଜି ପର୍ଯ୍ୟନ୍ତ ସଡକ ତିଆରି କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ଟଙ୍କା ଦେଉଛି ଆଦିବାସୀଙ୍କ ବିକାଶ ପାଇଁ, କିନ୍ତୁ ଏହାକୁ ଲୁଟ୍ କରୁଛି ବିଜେଡି । କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜରେ ମେଡିକାଲ କଲେଜ ନରେନ୍ଦ୍ର ମୋଦିଙ୍କ ଅନୁଦାନରେ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।