-
ଭୋଟ ବର୍ଜନ କଲେ ଗୁଡି଼ଆପାଟଣା ଗ୍ରାମର ୬୨୮ ଭୋଟର
ବ୍ରହ୍ମପୁର ,ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଗୁଡି଼ଆପାଟଣା ଗ୍ରାମରେ ଥିବା ପାଣିର ସମସ୍ୟା ସମସ୍ତଙ୍କ ସାମ୍ନାକୁ ଆଣିଛି ଏବଂ ପ୍ରଶାସନର ପାରିବା ପଣିଆକୁ ପ୍ରଶ୍ନ କରିଛି । ପିଇବା ପାଣି ସମସ୍ୟାରେ ଘାଣ୍ଟି ହେଉଥିବା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏସ୍ ଗୋପାଳପୁର ପଞ୍ଚାୟତ ଗୁଡି଼ଆପାଟଣା ଗ୍ରାମର ୬୨୮ ଭୋଟର ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଭୋଟର କହିଛନ୍ତି ‘ପାଣି ନାହିଁ ତ ଭୋଟ ନାହିଁ’ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଦୀର୍ଘ ପାଞ୍ଚବର୍ଷ ହେଲା ଗୁଡ଼ିଆପାଟଣା ଗ୍ରାମରେ ପାଣିର ସମସ୍ୟା ଦେଖାଦେଇଛି । ପୂର୍ବରୁ ଗ୍ରାମବାସୀ କନିଷ୍ଠ ଯନ୍ତ୍ରୀ ଙ୍କୁ ଏଭଳି ପାଣିର ସମସ୍ୟା ନେଇ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ୟା ଦୂର ହୋଇପାରିନାହିଁ । ଗୁଡ଼ିଆପାଟଣା ଗ୍ରାମରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବସୁଧା ଯୋଜନା ଗ୍ରାମରେ ହୋଇଥିଲେ ମଧ୍ୟ ସେଥିରେ ପାଣି ଆସୁନଥିବାରୁ ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ପାଣି ସମସ୍ୟାର ସମାଧାନ କରିବା ପାଇଁ ଲୋକେ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇ ନିରାଶ ହୋଇଛନ୍ତି । ତେଣୁ ଏହି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗୁଡ଼ିଆପାଟଣା ଗାଁ ଲୋକେ ।