ମାଲକାନଗିରି, ଜଳାଭାବ ଯୋଗୁଁ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମଭି-୧୧୬ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପାଣି ସମସ୍ୟା ନେଇ ଗ୍ରାମବାସୀ ବହୁବାର ପ୍ରଶାସନକୁ ଅବଗତ କରିଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମରେ ପ୍ରାୟ ୮୦ ପରିବାରର ୨୫୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । ତେବେ ଏହି ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ସହ ଏକାଧିକ ନଳକୂପ ଅଚଳ ଓ ଗ୍ରାମର ପୋଖରୀ ମଧ୍ୟ ଶୁଷ୍କ ହୋଇ ପଡ଼ି ରହିଛି । ଫଳରେ ଗତ କିଛି ମାସ ଧରି ଗ୍ରାମରେ ପାଣି ପାଇଁ ହାହାକାର ପରିସ୍ଥିତି ହୋଇଛି। ଗ୍ରାମରେ ମୋଟ ୬ଟି ନଳକୂପ ଥିବାବେଳେ ବର୍ଷେ ହେବ ୨ଟି ସମ୍ପୂର୍ଣ ଅଚଳ ହୋଇପଡ଼ିଛି।
ସେହିପରି ଦୁଇଟି ବ୍ୟବହାର ଅନୁପଯୋଗୀ ଥିବା ବେଳେ ବର୍ତ୍ତମାନ ଦୁଇଟି ନଳକୂପ ବ୍ୟବହାର ଉପଯୋଗୀ ହୋଇ ରହିଛି। ଏପରି ସ୍ଥିତିରେ ଦୁଇ ମାସ ପୂର୍ବରୁ ଲୋକେ ପୋଖରୀରେ ଗାଧୋଇବା, ବାସନ ମାଜିବା ଓ ଲୁଗାପଟା ଧୋଇବା ସହ ନଳକୂପ ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ । ତେବେ ଗତ ମାସରୁ ପୋଖରୀ ପାଣି ଶୁଖିଯିବାରୁ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମର ମହିଳାମାନେ ଘଣ୍ଟା ଘଣ୍ଟା ଧରି ପାଣି ପାଇଁ ନଳକୂପ ନିକଟରେ ଅପେକ୍ଷା କରିବାକୁ ପଡ଼ୁଛି । ଗ୍ରାମରେ ରହିଥିବା ପୋଖରୀରେ ୪ ରୁ ୬ ଫୁଟ କାଦୁଅ ରହିଥିବାରୁ ଖରାଦିନରେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଏହି ପୋଖରୀର ପୁନରୁଦ୍ଧାର କରାଇବାକୁ ଗ୍ରାମବାସୀ ବିଭିନ୍ନ ସମୟରେ ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା ଗ୍ରାମବାସୀ କହିଛନ୍ତି । ଗ୍ରାମରେ ରହିଥିବା ଏକ ମାତ୍ର ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ବର୍ଷେ ହେଲା ଅଚଳ ହୋଇପଡ଼ିଛି । ଏଭଳି ପରିସ୍ଥିତିରେ ଏମଭି – ୧୧୬ ଗ୍ରାମରେ ରହିଥିବା ଜଳ ଯୋଗାଣ ପ୍ରକଳ୍ପ ଗୁଡ଼ିକର ମରାମତି ସହ ପୋଖରୀର ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦେବାକୁ ଗ୍ରାମର ଉତ୍ତମ ରାୟ, ଗୋବିନ୍ଦ ବିଶ୍ଵାସଙ୍କ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।