ଧର୍ମଶାଳା, ସାଧାରଣ ନିର୍ବାଚନକୁ ହାତ ଗଣତି କିଛି ଦିନ ବାକି ରହିଛି । ସବୁ ଦଳର ନେତା କର୍ମୀ ଗାଁ ଗଣ୍ଡାରେ ଡେରା ପକାଇଛନ୍ତି । ନିଜ ସପକ୍ଷରେ ଭୋଟ ହାତେଇବା ନେଇ ପ୍ରଚାର ଓ ପ୍ରସାର କରୁଛନ୍ତି । କିଛିଦିନ ନିର୍ବାଚନ ତାରିଖ ବାକି ଥିବା ବେଳେ କିଛି ରାଜନୈତିକ ଦଳର କର୍ମୀ ବିଶୃଙ୍ଖଳା ସୃଷ୍ଟି କରିବାକୁ ପଛାଉ ନାହାନ୍ତି । ଏପରିକି କର୍ମୀମାନେ କିଛି ୱେବ ସାମ୍ବାଦିକଙ୍କୁ ବ୍ୟବହାରରେ ଲଗାଉଛନ୍ତି । ଏଭଳି ଘଟଣାକୁ ନେଇ ଥାନାରେ ମାମଲା ପଂହଚିଛି ।
ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଂଚାୟତ ସ୍ତରୀୟ ମିଶନ ଶକ୍ତି କର୍ମକର୍ତାଙ୍କୁ ନେଇ ବେତଣ୍ଡା ମିଶନ ଶକ୍ତି ଗୃହରେ ଏକ ବୈଠକ ବସିଥିଲା । ବୈଠକରେ ମିଶନ ଶକ୍ତି ସଭାନେତ୍ରୀ, ସମ୍ପାଦିକା ଓ ଏମବିକେମାନଙ୍କୁ ନେଇ ଆଲୋଚନା ଚାଲିଥିଲା । ବୈଠକ ଚାଲିବାର କିଛି ସମୟ ପରେ ଜଣେ ବେତଣ୍ଡା ଓ ଫୁଲାଡି ଗ୍ରାମର ୪ ଜଣ ଯୁବକ, ଜଣେ ଯୁବତୀ ଓ ୩ ଜଣ ୱେବ ସାମ୍ବାଦିକ ମିଶନ ଶକ୍ତି ଗୃହରେ ପଶି ଯାଇଥିଲେ । ଅଚାନକ ପଶି ସମସ୍ତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହ ମହିଳାମାନଙ୍କୁ ଟଣା ଓଟରା କରିଥିଲେ । ଏବଂ ମିଶନ ଶକ୍ତିର ସମସ୍ତ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ରକୁ ଫେପାଡି ସମସ୍ତଙ୍କୁ ମାଡ ମାରି ଫେରାର ହୋଇ ଯାଇଥିଲେ । ଏହି ଘଟଣାକୁ ନେଇ ସମ୍ପାଦିକା ମାଧବୀଲତା ପ୍ରଧାନ ଧର୍ମଶାଳା ଥାନାରେ ଏତଲା ଦେଇଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ମିଶନ ଶକ୍ତିର ସମସ୍ତ ସଦସ୍ୟା ଦାବି କରିଛନ୍ତି । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଘଟଣାକୁ ନେଇ କିଛି ରାଜନୈତିକ ଦଳର ପ୍ରରୋଚନରେ କିଛି ଯୁବକ ଓ ସାମ୍ବାଦିକ ଏଭଳି ଘଟଣାରେ ସମ୍ପୃକ୍ତିକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ଅଂଚଳବାସୀ ଦାବି କରିଛନ୍ତି ।