
ସମ୍ବଲପୁର,ବିଜୁ ଜନତା ଦଳର ଚର୍ଚ୍ଚିତ ନେତା ଭି. କାର୍ତ୍ତିକେଆନ ପାଣ୍ଡିଆନ ରବିବାର ସମ୍ବଲପୁର ଗସ୍ତ କରିଥିବାବେଳେ ତାଙ୍କୁ ୩୦ ରୁ ଉର୍ଦ୍ଧ୍ବ ସଂଗଠନର କର୍ମକର୍ତ୍ତାମାନେ ଭେଟିଛନ୍ତି । ଓଡିଶା ବିଡି ଶ୍ରମିକ ୟୁନିୟନ, ଓଡିଶା ଗଣ ସମାଜ, ମାରୱାଡି ସମାଜ, ବୁର୍ଲା ୱାର୍ଡ ଲିଡର, ସବୁଜ ସମ୍ବଲପୁର ମହାସଂଘ, କୁଚିଣ୍ଡା କିଷାନ ସମାଜ, ଯୁବ ସମ୍ବଲପୁର, ରୋଢାଖୋଲ ଭୀମଭୋଇ ସ୍ମୃତିପୀଠର ଅଲେଖ ମହିମା ଧର୍ମାବଲମ୍ବୀ, ସମ୍ବଲୁପୁର ହକି ଏସୋସିଏସନ, ଡିଏଲଏଫ ମହାସଂଘ, ବିଏଲଏଫ ମହାସଂଘ ଭଳି ଅନେକ ସଂଗଠନର କର୍ମକର୍ତ୍ତାମାନେ ସ୍ଥାନୀୟ ପାନ୍ଥନିବାସରେ ଭେଟି ତାଙ୍କ ସହିତ ଆଲୋଚନା କରିଥିଲେ । ସେମାନଙ୍କ ଅଞ୍ଚଳର ସମସ୍ୟା କେବେ ବି କୈାଣସି ରାଜନୈତିକ ନେତା ଓ ପ୍ରଶାସନ ଶୁଣୁନଥିବା ଓ ସମାଧାନ କରୁନଥିବା ସର୍ମ୍ପକରେ ଶ୍ରୀ ପାଣ୍ଡିଆନଙ୍କୁ ଜଣାଇଥିଲେ । ସଂଗଠନର କର୍ମକର୍ତ୍ତାମାନଙ୍କ କଥାଶୁଣି ଶୀଘ୍ର ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ପ୍ରତିଶୃତି ଦେଇଥିଲେ । ଏହି ମଉକାରେ ବିଜୁ ଜନତା ଦଳକୁ ଆଶୀର୍ବାଦ କରିବାକୁ ଶ୍ରୀ ପାଣ୍ଡିଆନ ଉପସ୍ଥିତ କର୍ମକର୍ତ୍ତାମାନଙ୍କୁ ନିବେଦନ କରି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ପାଇଁ ଅନେକ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବିଶେଷ କରି ସମ୍ବଲପୁର, ହୀରାକୁଦ, ବୁର୍ଲା ଓ ରେଙ୍ଗାଲିକୁ ନେଇ ଏକ ବିରାଟ ମହାନଗର ପ୍ରକଳ୍ପର ପରିକଳ୍ପନା କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।