
ଘଟଗାଁ – କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମେଲାଣ ହାଇସ୍କୁଲରେ ଟିଡି ଟୀକା ନେଇ ୧୦ମ ଶ୍ରେଣୀର ୮ଜଣ ଛାତ୍ର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
ଖବର ମୁତାବକ, ଗତକାଲି ଉକ୍ତ ବିଦ୍ୟାଳୟରେ ୨୭ ଜଣ ଛାତ୍ରଙ୍କୁ ଟିଡି ଟୀକା ଦିଆଯାଇଥିଲା । ରାତିରେ ୮ଜଣ ଛାତ୍ର ଅସୁସ୍ଥତା ଅନୁଭବ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକମାନେ ଏନେଇ ବିଦ୍ୟାଳୟ କତୃପକ୍ଷକୁ ଜଣାଇଥିଲେ । ଆଜି ସ୍କୁଲ କତୃପକ୍ଷ ଗୁରୁତର ଥିବା ୩ଜଣ ଛାତ୍ରଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ଅସୁସ୍ଥ ଥିବା ଅନ୍ୟ ଛାତ୍ରମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବ ବୋଲି ବିଦ୍ୟାଳୟ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟ ଚିକିତ୍ସକ ମୁକ୍ତିକାନ୍ତ ନାୟକ ପ୍ରକାଶ କରିଛନ୍ତି ।