ମାଲକାନଗିରି, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ଅନ୍ତର୍ଗତ ଏମଭି ୨୮ ଗ୍ରାମର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ଟଙ୍କା ହାରିଯିବାରୁ ଆତ୍ମହତ୍ୟା କରିଥିବା ଘଟଣା ଦୁଇ ଦିନ ନ ବିତୁଣୁ ସେହିପରି ଆଉ ଏକ ଘଟଣା ରବିବାର ଘଟିଯାଇଛି।
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୧ ସ୍ଥିତ ନୂଆସାହିର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଉକ୍ତ ସାହିର ପୂର୍ଣଚନ୍ଦ୍ର ବାଘଙ୍କ ପୁଅ ସରୋଜ ବାଘ (୨୨)।
ମିଳିଥିବା ସୂଚନା ଅନୁଯାୟୀ, ସରୋଜ ନିଜ ସ୍ତ୍ରୀ ସନ୍ତୋଷୀ ବାଘ ଓ ଦୁଇଟି ସନ୍ତାନଙ୍କ ସହ ସୁଖରେ ପରିବାର ଚଳାଉଥିବା ବେଳେ କିଛି ଧାରକରଜ ହୋଇଥିବା ଯୋଗୁଁ ନିଜର କରଜ ସୁଝିବା ପାଇଁ ସାପ୍ତାହିକ ଗୃପ ରୁ କିଛି ଟଙ୍କା ଋଣ ଆକାରରେ ନେଇଥିଲେ। ତେବେ ଉକ୍ତ ଟଙ୍କାରେ ସେ କିଛି ବାକି ଶୁଝି ଥିବାବେଳେ ବଳକା ଟଙ୍କା ନିଜ ଆକାଉଣ୍ଟରେ ଜମା କରିଥିଲେ। ପୂର୍ବରୁ ସରୋଜଙ୍କୁ ଅନଲାଇନ୍ ଗେମ୍ ଖେଳିବାର ନିଶା ଲାଗିଥିବାରୁ ସେ ନିଜ ଆକାଉଣ୍ଟରେ ଥିବା ଜମାଟଙ୍କାରେ ଅନଲାଇନ୍ ଗେମ୍ ଖେଳିବାକୁ ଲାଗିଲେ। ଫଳରେ ଉକ୍ତ ଗେମ ରେ ସେ ସମସ୍ତ ଟଙ୍କା ହାରିଯାଇଥିଲେ। ରବିବାର ସକାଳେ ତାଙ୍କ ସ୍ତ୍ରୀ ସନ୍ତୋଷୀ କାମ କରିବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କ ମାଆ ଘର ଦାଣ୍ଡରେ କାମ କରୁଥିଲେ। କିଛି ସମୟ ପରେ ତାଙ୍କ ପଡ଼ୋଶୀ ଘର ଝିଅ ସରୋଜଙ୍କ ଘରକୁ ଆସି ସରୋଜଙ୍କ ଘର କବାଟ ବନ୍ଦ ଥିବା ଦେଖି ତାଙ୍କ ମା’ଙ୍କୁ କହିବାରୁ ତାଙ୍କ ମାଆ ବହୁବାର କବାଟକୁ ବାଡ଼େଇବା ସତ୍ତ୍ବେ ସରୋଜ କବାଟ ଖୋଲି ନଥିଲା । ପରେ ପଡ଼ୋଶୀମାନଙ୍କୁ ଡାକି କବାଟ ଭାଙ୍ଗି ଦେଖିବାରୁ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଓର୍କେଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରି ଏ ସମ୍ବନ୍ଧରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।