ମାଲକାନଗିରି, ମାଲକାନଗିରି ସଦର ମହକୁମା କୋୟା ଭବନ ଠାରେ ବାଡ଼ସାତ ପାଣ୍ଡୁମ୍ (ବାର୍ଷିକ ଉତ୍ସବ- ୨୦୨୪) ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କୋୟା ସମାଜ ସଭାପତି ମୁକୁନ୍ଦ ପଡ଼ିଆମି, ଆଦିବାସୀ କର୍ମଚାରୀ ସଂଘ ଜିଲ୍ଲା ସଭାପତି ଆନନ୍ଦ ମାଢ଼ି, ଜିଲ୍ଲା ମହିଳା ସଭାନେତ୍ରୀ ରୀନା ମାଢ଼ି, ରବୀନ୍ଦ୍ରନାଥ ମାଢ଼ି, ବ୍ଲକ୍ ସଭାପତି କାଲିମେଳା ବାଗା ମାଡ଼କାମୀଙ୍କ ସହ ସମସ୍ତ ବୁଦ୍ଧିଜୀବି, ସମାଜସେବୀ ଓ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଆସନ୍ତା ଜୁନ୍ ୮ ଓ ୯ତାରିଖରେ ବାଡ଼ସାତ ପାଣ୍ଡୁମ୍-୨୦୨୪ ପାଳନ କରିବା ପାଇଁ ସମସ୍ତଙ୍କ ସହମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏଥିସହ ଚଳିତ ଥର ଏହି କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକ ଗୋରାଖୁଣ୍ଟା ସଦର ପଞ୍ଚାୟତ କାର୍ଯ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ କୋୟା ସମାଜ ସଂଗଠନର ବାର୍ଷିକ ଅଗ୍ରଗତିର ସବିଶେଷ ଆଲୋଚନା ସହ ନିଜ ପାରମ୍ପରିକ ସଂସ୍କୃତି, ପରମ୍ପରା, ରୀତିନୀତି, ଐତିହ୍ୟ, ଭାଷା ଓ ସମ୍ବିଧାନର ସୁରକ୍ଷା ସମ୍ବନ୍ଧିତ ଆଲୋଚନା କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା ।
ଏହି ବାର୍ଷିକ ଉତ୍ସବରେ ପ୍ରତ୍ୟେକ ବ୍ଲକ୍, ଅନ୍ୟାନ୍ୟ ଜିଲ୍ଲା ଓ ରାଜ୍ୟରୁ ମଧ୍ୟ ସମାଜସେବୀ, ବୁଦ୍ଧିଜୀବି ମାନେ ଉପସ୍ଥିତ ହେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା ।