
ଭୁବନେଶ୍ୱର, ବିଜୁ ଜନତା ଦଳକୁ ଏକ ବଡ ଝଟକା ଲାଗିଛି । ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି।ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟିକେଟ ନ ମିଳିବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ।
ଦଳରୁ ଇସ୍ତଫା ଦେବା ପରେ ସେ ଏକ ଭିଡିଓ ବାର୍ତା ଜାରୀ କରିଛନ୍ତି । ଏଥିରେ ସେ କହିଛନ୍ତି ଯେ, ୨୦୦୬ରୁ ସେ ନିଷ୍ଠାର ସହ ଦଳ ପାଇଁ କାମ କରିଆସୁଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି। ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ ଆଉ ଦଳରେ ରହିବାକୁ ସେ ସମିଚୀନ ମନେ କରୁନାହାଁନ୍ତି ବରଂ ଦଳ ଛାଡ଼ିବାକୁ ଉଚିତ ମନେ କରିଛନ୍ତି। ଏହାସହ ସେ ନିଜେ ମଧ୍ୟ ନିମାପଡ଼ା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି।
ଉଲ୍ଲେଖନୀୟ ଯେ, ସମୀର ରଞ୍ଜନ ଦାଶ ନିମାପଡ଼ାରୁ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । ଏହାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡ଼ିବାକୁ ଘୋଷଣା କରିଥିଲେ।