ଜଟଣୀ – କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ଓ ଦେଶ ବିରୋଧୀ ନିତିକୁ ନେଇ ଟ୍ରେଡ ୟୁନିୟନ ପକ୍ଷରୁ ବୁଧବାର ୨୪ ଘଂଟିଆ ବନ୍ଦ ଜଟଣୀରେ ଆଂଶିକ ସଫଳ ହୋଇଥିବାବେଳେ ସରକାରୀ ବ୍ୟବସ୍ଥାଗୁଡ଼ିକ ସ୍ୱାଭାବିକ ଥିବା ଜଣାପଡ଼ିଛି । ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ସ୍ୱାଧୀନ ଫେଡେରେସନ ମିଳିତ ମଂଚ ପକ୍ଷରୁ ୨୪ ଘଂଟିଆ ଡାକରାରେ ଜଟଣୀ ସହରରେ ଏହାର ପ୍ରଭାବ ଦେଖାଯାଇଥିଲା । ଖୋର୍ଦ୍ଧାଜିଲା ଜଟଣୀ ଆଂଚଳିକ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ସୀତାରାମ ଛକ ଠାରୁ ଖୋର୍ଦ୍ଧାରୋଡ଼ ଷ୍ଟେସନ ପ୍ରଭୃତି ପରିକ୍ରମା କରି ଖୋଲାଥିବା ଦୋକାନ ବଜାରଗୁଡ଼ିକୁ ବନ୍ଦ କରିଥିଲେ । ଏଥିରେ ଅଂଚଳର ବହୁ ମହିଳା, ପୁରୁଷମାନେ ଯୋଗ ଦେଇଥିଲେ । ଏହି ଡାକରାରେ ସ୍ୱାସ୍ଥ୍ୟସେବା, ହସ୍ପିଟାଲ ଆମ୍ବୁଲାନ୍ସ ଓ କ୍ଷୀର ପରିବହନ କରୁଥିବା ଗାଡ଼ିଗୁଡ଼ିକୁ ବାଦ ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଜଟଣୀ ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଆଜି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ମାତ୍ର ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ଡିଭିଜନର ଖୋର୍ଦ୍ଧାରୋଡ଼ ଷ୍ଟେସନରେ ରେଳ ଚଳାଚଳ ବିଳମ୍ବ ହୋଇଥିଲେ ମଧ୍ୟ ସ୍ୱାଭାବିକ ରହିଥିଲା । ସରକାରଙ୍କ ମୋ ବସ୍ ସେବା ଚଳାଚଳ ସ୍ୱାଭାବିକ ରହିଥିଲା । ଜଟଣୀର ସୀତାରାମ ଛକ, ମସଜିଦ ଛକ, ମହୁଲଗୁଡ଼ିଆ ଛକ, ହରିଭାଇନା ଛକ, ମେଡ଼ିକାଲ ଛକ ପ୍ରଭୃତି ବନ୍ଦ ରହିଥିଲା । ଆଖପାଖ ଗାଁଗହଳିର ଦୋକାନବଜାର ଖୋଲା ରହିଥିଲା । ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ରହିଥିଲା । କୌଣସି ସ୍ଥାନରେ ହିଂସାର ସୂଚନା ମିଳିନଥିଲା ।
Related Stories
October 18, 2024