ବଲାଙ୍ଗିର, ଆସନ୍ତା ମଇ ୨୦ରେ ନିର୍ବାଚନ ହେବାକୁ ଯାଉଛି । ସେଥିପାଇଁ ବିଜେଡି ଦଳର ପ୍ରାର୍ଥି କଳିକେଶ ନାରାୟଣ ସିଂଦେଓ ପ୍ରଚାରର ଶେଷ ପର୍ଯ୍ୟାୟରେ ଏକ ସାମ୍ବାଦିକ ସମ୍ବିଳନୀ ଜରିଆରେ ଲୋକଙ୍କୁ କିଛି ନିବେଦନ କରିଛନ୍ତି । କଳିକେଶ କହିଛନ୍ତି ଯେ, ବଲାଙ୍ଗୀରକୁ ବ୍ୟାଙ୍କକ ନୁହଁ ବରଂ ଏକ ବିକଶିତ ବଲାଙ୍ଗୀର, ସ୍ଵଚ୍ଛ-ସୁନ୍ଦର ଓ ଅପରାଧମୁକ୍ତ ବଲାଙ୍ଗୀର ରୂପେ ଗଢିବାକୁ ସଂକଳ୍ପ କରାଯାଇଛି । ଶୈଳଶ୍ରୀ ପ୍ୟାଲେସଠାରେ ଗତକାଲି ଅପରାହ୍ନ ୪ଟା ୩୦ରେ ଆୟୋଜିତ ଏହି ସାମ୍ବାଦିକ ସମ୍ବିଳନୀରେ ସେ କହିଛନ୍ତି ଯେ, ବଲାଙ୍ଗୀର ରାଜପରିବାର ଶହ ଶହ ବର୍ଷ ଧରି ବଲାଙ୍ଗୀରର ବିଭିନ୍ନ ଅନୁଷ୍ଠାନକୁ ଜମିଦେଇ ଗଢିଛନ୍ତି। ପୃଥ୍ୱିରାଜ ହାଇସ୍କୁଲ ଠାରୁ ଆରମ୍ଭ କରି କୋସଳ କଳାମଣ୍ଡଳ ପଡିଆ, ରାଜେନ୍ଦ୍ର କଲେଜ ଇତ୍ୟାଦି ସବୁକିଛି କରାଯାଇଛି । ବିରୋଧି ଦଳର ବିଧାୟକ ଓ ପ୍ରାର୍ଥିଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ବିଧାୟକଙ୍କ ପରିବାର ବଲାଙ୍ଗୀରର ସମସ୍ତ ବ୍ୟବସାୟ ଓ ତାହାର ଲାଭ ଖାଇବାକୁ ଗତ ୧୦ ବର୍ଷ ହେଲା ଚେଷ୍ଟା କରିଛନ୍ତି । ବଲାଙ୍ଗୀରର ବାଲି, ଗେଟି ବେପାର ଠୁ ଆରମ୍ଭ କରି ଠିକା ପର୍ଯ୍ୟନ୍ତ ସବୁ ବ୍ୟବସାୟର ଫାଇଦା ସେମାନଙ୍କ ଭାଇ, ପୁଅ କିମ୍ବା ପୁତୁରା ପାଇଛନ୍ତି। ଅନ୍ୟମାନଙ୍କୁ ହଇରାଣ କରାଯାଇଛି । ବଲାଙ୍ଗୀରରେ ଗୁଣ୍ଡାଗର୍ଦ୍ଦି, ଟେଣ୍ଡର ଫିକ୍ସିଂ, ବାଲିଘାଟ, ପଥରକ୍ଵାରୀ ଇତ୍ୟାଦିକୁ ତାଙ୍କ ପରିବାର ମାଡିବସିଛନ୍ତି । ଆମେ ବଲାଙ୍ଗୀରରେ ବ୍ୟବସାୟ ନୁହଁ ବିକାଶ କରାଇବାରେ ଲାଗିଛୁ ଓ ବଲାଙ୍ଗୀରକୁ ଦେବାର ଶିଖିଛୁ ନେବାର ଶିଖିନୁ । ତେଣୁ ବଲାଙ୍ଗୀରବାସୀ ବଲାଙ୍ଗୀର ବିଜେଡି ଦଳ ସହିତ ରହିଛନ୍ତି ଓ ବୋଲି କହିଥିଲେ । ସେପଟେ ବଲାଙ୍ଗୀର ଜିଲ୍ଲାରେ ହୋଇଥିବା ଲୋୟରସୁକତେଲ ଜଳସେଚନ ପ୍ରକଳ୍ପ, ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, କ୍ୟାନସର ହସ୍ପିଟାଲ, ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ, ବାଇପାସ ରାସ୍ତା, ତୁଷୁରା ଏୟାରଷ୍ଟ୍ରିପର ବିକାଶ କାମ, ବଲାଙ୍ଗୀର ସହର ଓ ଗ୍ରାମାଞ୍ଚଳରେ ଶୁଦ୍ଧ ପାନୀୟଜଳ ପ୍ରକଳ୍ପ, ପର୍ଯ୍ୟଟନସ୍ଥଳିର ଉନ୍ନତିକରଣ ଇତ୍ୟାଦି କରାଯାଇ ପାରିଛି । ବଲାଙ୍ଗୀର ସହରକୁ ଆମେ କ୍ଷମତାରେ ଥିବା ବେଳେ ୬୦ କୋଟି ଟଙ୍କା ବ୍ୟୟରେ ତେଲନଦୀରୁ ପାଣି ଆଣିଥିଲୁ । ଏବେ ମୁଖ୍ୟମନ୍ତ୍ରୀଙ୍କ ଦୟାରେ ୧୪୦ କୋଟି ଟଙ୍କା ବ୍ୟୟରେ ସହରର ପ୍ରତ୍ୟେକ ଘରକୁ ପାନୀୟଜଳ ପହଞ୍ଚାଇବାର ଉଦ୍ୟମ ଚାଲିଛି । ସହରରେ ସ୍ମାର୍ଟପାର୍କ, ଅଡିଟୋରିୟମ ଇତ୍ୟାଦି କରାଯାଇଛି। ସହରରେ ସ୍ଵତନ୍ତ୍ର ଡ୍ରେନେଜ ପାଇଁ ମାଷ୍ଟାରପ୍ଲାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଜିଲ୍ଲା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇଛନ୍ତି । ଚଳିତ ଥର ସେ କଣ୍ଟାବାଞ୍ଜି ଆସନରୁ ବିଧାୟକ ପ୍ରାର୍ଥି ହୋଇଛନ୍ତି ତେଣୁ ଜିଲ୍ଲାର ବିକାଶ ଦ୍ଵିଗୁଣିତ ହେବ। ବଲାଙ୍ଗୀରର ୭୦ ପ୍ରତିଶତ ଭୋଟର ଆମ ସହିତ ରହିଛନ୍ତି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କଲିକେଶ ।
ଏହି ସାମ୍ବାଦିକ ସମ୍ବିଳନୀରେ କଳିକେଶଙ୍କ ସହିତ ତାଙ୍କ ଭାଇ ମନ୍ମଥବିଜୟ ସିଂଦେଓ, ଅର୍କେଶନାରାୟଣ ସିଂଦେଓ, ମେଘନା ସିଂଦେଓ, ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ ।